ଉତ୍କଣ୍ଠାରେ ଫ୍ୟାନ୍‌, ଆସନ୍ତାକାଲି ଆରମ୍ଭ ହେବ ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌

କ୍ରିକେଟ ମହାକୁମ୍ଭକୁ ଆଉ ମାତ୍ର କେତେ ଘଣ୍ଟା ବାକି । କିଏ ଜିତିବ ଆଇସିସି ବିଶ୍ୱକପ୍‌ ଟ୍ରଫି । ଭାଗ ନେଉଥିବା ଦଳ ଏବଂ ସେମାନଙ୍କ ସମର୍ଥକଙ୍କ ଭିତରେ ଢେର ଉତ୍ସାହ..

କ୍ରିକେଟ ମହାକୁମ୍ଭକୁ ଆଉ ମାତ୍ର କେତେ ଘଣ୍ଟା ବାକି । କିଏ ଜିତିବ ଆଇସିସି ବିଶ୍ୱକପ୍‌ ଟ୍ରଫି । ଭାଗ ନେଉଥିବା ଦଳ ଏବଂ ସେମାନଙ୍କ ସମର୍ଥକଙ୍କ ଭିତରେ ଢେର ଉତ୍ସାହ.. । ଦାବିଦାର ଅଛନ୍ତି ବିଶ୍ବର ୧୦ଟି ଶକ୍ତିଶାଳୀ ଟିମ୍ । ପୁଣି ଥରେ ବିଶ୍ୱ ଦେଖିବ ଦନିକିଆ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ଲଢ଼େଇ । ବିଶ୍ୱକପ୍‌ ଫିଭରରେ ଏବେ ସାରା ବିଶ୍ୱ । ଆଉ ଫାଇଟ୍ ଏମିତି ହେବ ଯାହାକୁ ଦେଖିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟ୍‌ ପ୍ରେମୀ । କାରଣ ଏହି ଟୁର୍ଣ୍ଣାମେଣ୍ଟ ବାଛିବ ବିଶ୍ୱବିଜେତା । ଏଥର ଭାରତରେ ହେଉଛି ବିଶ୍ୱକପ୍‌ର ଆୟୋଜନ । ଟିମ୍‌ ଇଣ୍ଡିଆ ଟାଇଟଲ୍‌ ଜିତିବା ନେଇ ଭାରତୀୟଙ୍କ ମଧ୍ୟରେ ଆଶା ଓ ବିଶ୍ୱାସ ବଢ଼ିଛି ।

କାରଣ ଦଳ ଭଲ ଫର୍ମରେ ଅଛି ଏବଂ ନିଜ ଘରୋଇ ମାଟିରେ ଖେଳୁଛି ।୧୨ ବର୍ଷ ପରେ କ୍ରିକେଟ୍ ମହାକୁମ୍ଭ ଫେରିଛି ଭାରତ ମାଟିକୁ । ଗତ ୨୦୧୧ରେ ଭାରତରେ ବିଶ୍ୱକପ୍ ଖେଳା ଯାଇଥିଲା । ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ ହୋଇଥିଲା । ଫାଇନାଲରେ ଟିମ୍ ଶ୍ରୀଲଙ୍କାକୁ ହରାଇଥିଲା । ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଦୁଇଥର ବିଶ୍ୱକପ୍ ଟ୍ରଫି ଜିତିଛି । ୧୯୮୩ରେ ପ୍ରଥମ ଥର କପିଳଦେବଙ୍କ ନେତୃତ୍ୱରେ ବିଶ୍ୱକପ୍‌ ଜିତିଥିଲା ଭାରତୀୟ ଦଳ । ତା ପରଠାରୁ ଦେଶରେ ଆସିଥିଲା କ୍ରିକେଟ୍‌ ସୁନାମି ।

ଆସନ୍ତା କାଲି ଅର୍ଥାତ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇଯିବ କ୍ରିକେଟର ମହାସମର । ଯାହାକି ଆଗାମୀ ନଭେମ୍ବର ୧୯ରେ ସରିବ.. ପୂର୍ବରୁ ଦୁଇ ଥର ମିଳିତ ଭାବେ ଆୟୋଜନ କରିଥିବା ଭାରତ ଏଥର ଏକାକୀ ବିଶ୍ୱକପ୍‌ କରୁଛି । ପ୍ରଥମେ ଗୁଜରାଟର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓପନିଂ ମ୍ୟାଚ୍ ଖେଳାଯିବ । ଉଦଘାଟନୀ ମ୍ୟାଚ୍‌ ଖେଳିବେ ଗତଥର ଚାମ୍ପିଅନ୍‌ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ଭାରତର ତାର ପ୍ରଥମ ମ୍ୟାଚ୍‌ ଅକଟୋବର ୮ ତାରିଖରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହିତ ଖେଳିବ । କ୍ରିକେଟ ବିଶ୍ବକପ ପାଇଁ ଆଇସିସି ଓ ବିସିସିଆଇ ପକ୍ଷରୁ ଜୋରଦାର ପ୍ରସ୍ତୁତି ମଧ୍ୟ କରାଯାଇଛି ।

ପ୍ରତିଯୋଗିତାରେ ରହିଛନ୍ତି ବିଶ୍ୱର ଶ୍ରେଷ୍ଠ୧୦ଟି ଟିମ୍ । ଦେଢମାସରୁ ବି ଅଧିକ ସମୟର ରୋମାଞ୍ଚ ପ୍ରଦର୍ଶନ ଦେଖିବେ କ୍ରିକେଟ ପ୍ରେମୀ । ଆଉ ଟାର୍ଗେଟ୍ ରହିବ ବିଶ୍ବକପ୍ ହାତେଇବା .. । ଏଥର ଜୋରଦାର ହେବ କ୍ରିକେଟ ବିଶ୍ବକପ୍ ସଂଘର୍ଷ । ଲିଷ୍ଟରେ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ଥାନ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଏବଂ ନେଦରଲାଣ୍ଡ ରହିଥିବା ବେଳେ ଅଂଶଗ୍ରହଣ କରୁଥିବା ମୋଟ ୧୦ ଦେଶ ମଧ୍ୟରୁ ୫ ଟି ଦେଶ ଏସିଆ ମହାଦେଶର । ଭାରତର ୪ ପଡୋଶୀ ଦେଶ ଏହି କ୍ରିକେଟ ମହାକୁମ୍ଭରେ ସାମିଲ ହୋଇଛନ୍ତି । ବିଶ୍ବକପରେ ଖେଳିବାକୁ ସବୁ ଦଳ ଭାରତରେ ପହଞ୍ଚି ସାରିଛନ୍ତି ।

ଭାରତର ୧୦ଟି ସହରରେ ମ୍ୟାଚ୍‌ ଖେଳାଯିବ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ଭେନ୍ୟୁ ଲିଷ୍ଟରେ ସାମିଲ ଅଛି । କୋଲକାତା, ଧର୍ମଶାଳା, ଲକ୍ଷ୍ନୌ, ମୁମ୍ବାଇ, ପୁଣେ, ଚେନ୍ନାଇ, ବେଙ୍ଗାଳୁରୁ ଏବଂ ହାଇଦ୍ରାବାଦରେ ଖେଳାଯିବ ସମସ୍ତ ମ୍ୟାଚ ।ତେବେ ଭେନ୍ୟୁ ଲିଷ୍ଟରେ କଟକ ବାରବାଟୀ ଷ୍ଟାଡିଅମ ନଥିବାରୁ ଓଡିଶାର କ୍ରିକେଟ ପ୍ରେମୀ ନିରାଶ ହୋଇଛନ୍ତି । ସମସ୍ତେ ଆଶା କରୁଥିଲେ ବାରବାଟୀକୁ ଏଥର ଗୋଟିଏ ମ୍ୟାଚ୍‌ ନିଶ୍ଚୟ ମିଳିବ । ଏ ନେଇ ସ୍ପଷ୍ଟୀକରଣ ଦିଆଯାଇଛି ଯେ ମ୍ୟାଚ୍‌ ସବୁ ମେଟ୍ରୋ ସିଟିରେ କରାଯାଉଛି । ଏହି କାରଣରୁ କଟକ ବାଦ୍‌ ପଡ଼ିଲା । ଅବଶ୍ୟ ଏହି ଉତ୍ତର ସନ୍ତୋଷଜନକ ନୁହେଁ ।

ଭାରତ ତାର ପ୍ରଥମ ମ୍ୟାଚ ଅକ୍ଟୋବର ୮ ତାରିଖରେ ଖେଳିବ । ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ୧୪ ଅକ୍ଟୋବର ଶନିବାର ଦିନ ହେବ ବିଶ୍ୱ କପ୍‌ର ସବୁଠାରୁ ବଡ଼ ଏବଂ ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ଲଢ଼େଇ । ୧୫ ନଭେମ୍ବରରେ ପ୍ରଥମ ସେମିଫାଇନାଲ କୋଲକାତାର ଇଡେନ ଗାର୍ଡନସ ଷ୍ଟାଡିୟମରେ ଖେଳା ଯିବ। ୧୬ ନଭେମ୍ବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌। ଶେଷରେ ୧୯ ନଭେମ୍ବରରେ ସେହି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଫାଇନାଲ ମୁକାବିଲା । ଯାହାକୁ ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ ବୋଲି କୁହାଯାଉଛି ।

ଚଳିତ ବିଶ୍ୱକପରେ ଉଦଘାଟନୀ ଉତ୍ସବ ହେବ ନାହିଁ । ତେବେ ଉଦଯାପନୀ ଉତ୍ସବକୁ ରଙ୍ଗାରଙ୍ଗ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଏସବୁ ବାଦ୍‌ ଷ୍ଟାର ଖେଳାଳିଙ୍କ ପ୍ରଦର୍ଶନ ଏବଂ ଚୌକା ଛକାର ବର୍ଷାକୁ ଅପେକ୍ଷା କରିଛନ୍ତି କ୍ରିକେଟ୍‌ ଫ୍ୟାନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.