ରକ୍ତ ବାନ୍ତି କରି ମଧ୍ୟ ୨୦୧୧ରେ ବିଶ୍ୱକପ ମ୍ୟାଚ୍‌ ଖେଳିଥିଲେ ସିକ୍ସର କିଙ୍ଗ ଯୁବରାଜ ସିଂ, ହେଲେ ଜାଣିନଥିଲେ ସାଥି ଖେଳାଳି

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂ ଆଜି ୪୧ ବର୍ଷ ବୟସରେ ପାଦ ଦେଇଛନ୍ତି । ଯୁବରାଜଙ୍କ ଜନ୍ମ ୧୨ଡିସେମ୍ବର ୧୯୮୧ ମସିହାରେ ହୋଇଥିଲା। ଯୁବରାଜ ଚଣ୍ଡିଗଡ ଡିଏଭି ପବ୍ଲିକ ସ୍କୁଲରେ ପାଠ ପଢା ଆରମ୍ଭ କରି ଡିଏଭି କଲେଜରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପିଲାଟି ବେଳୁ ରୋଲର ସ୍କେଟିଂ ଓ କ୍ରିକେଟରେ ରୁଚି ରଖୁଥିବା ୟୁଭି ଭାରତୀୟ କ୍ରିକେଟ ଟିମରେ ଯୋଗ ଦେବେ ବୋଲି କେବେ ଆଶା କରିନଥିଲେ । ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିବା ଯୁବରାଜ ୪ଥର ବିଶ୍ୱକପ ଟାଇଟଲ ଉଠାଇଥିଲେ ।

ଯୁବ ଦଳ ଦିନିକିଆ ଫର୍ମାଟରୁ ଭାରତୀୟ ଦଳରେ ଏଣ୍ଟ୍ରି କରିଥିଲେ । ଏହା ପରେ ସେ ଦେଶ ପାଇଁ ଟେଷ୍ଟ ଏବଂ ଟି –୨୦ କ୍ରିକେଟ ଖେଳି ସମସ୍ତଙ୍କୁ ଚକିତ କରିଥିଲେ । ସେ ୪୦୨ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୯୧ ଇନିଂସରେ ୧୧୭୭୮ ରନ୍ ସଂଗ୍ରହ କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ଯୁବରାଜଙ୍କ ନାମରେ ୧୭ଟି ଶତକ ଏବଂ ୭୧ ଅର୍ଦ୍ଧଶତକ ରହିଛି ।

୨୦୧୧ ବିଶ୍ୱକପ ବିଜୟରେ ଯୁବରାଜ ସିଂ ପ୍ରମୁଖ ଭୂମିକା ରହିଥିଲା । ସେ ନିଜ କ୍ୟାରିୟରରେ ଚାରିଥର ବିଶ୍ୱକପ ଟାଇଟଲ ଉଠାଇଥିଲେ। ଏଥିରେ ଟି – ୨୦ ବିଶ୍ୱକପ ୨୦୦୭, ବିଶ୍ୱକପ ୨୦୧୧, ୧୯ ବର୍ଷରୁ କମ୍ ବିଶ୍ୱକପ ଏବଂ ୧୬ ବର୍ଷରୁ କମ୍ ବିଶ୍ୱକପ ସାମିଲ ।
ଯୁବରାଜ ନିଜ କ୍ୟାରିଅରରେ ସାତୋଟି ଆଇସିସି ଟୁର୍ନାମେଣ୍ଟ ଫାଇନାଲ ଖେଳିଥିଲେ। ଯେଉଁଥିରେ ତିନୋଟି ଚାମ୍ପିଅନ୍ସ ଟ୍ରଫି, ଦୁଇଟି ବିଶ୍ୱକପ ଏବଂ ଦୁଇଟି ଟି – ୨୦ ବିଶ୍ୱକପ ଫାଇନାଲ ସାମିଲ ରହିଛି ।

ଯୁବରାଜ ସିଂଙ୍କ ନାମରେ ଟି – ୨୦ ଆନ୍ତର୍ଜାତୀୟ କ୍ରିକେଟର ପ୍ରଥମ ୬ ଟି ବଲରେ ୬ ଟି ଛକା ମାରିବାର ରେକର୍ଡ ରହିଛି। ସେ ଟି-୨୦ ବିଶ୍ୱକପ ୨୦୦୭ ରେ ଇଂଲଣ୍ଡ ବିପକ୍ଷରେ ଷ୍ଟୁଆର୍ଟ ବ୍ରଡ ଓଭରରେ ଲଗାତାର ୬ଟି ବଲରେ ୬ ଟି ଛକା ମାରିଥିଲେ। ଏହି ମ୍ୟାଚ୍ରେ ସେ ମାତ୍ର ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।

୨୦୧୧ରେ ବିଶ୍ୱକପ୍‌ ଭାରତରେ ଖେଳାଯାଇଥିଲା। ଟିମ୍‌ ଇଣ୍ଡିଆ ୨୦୧୧ ଟାଇଟଲ ଜିତିଥିଲା। ଟିମ୍‌ ପାଇଁ ୯୦ରୁ ଅଧିକ ରନ ରେଟରେ ୩୬୨ ରନ୍‌ କରିଛନ୍ତି। ବୋଲିଂ କରି ମଧ୍ୟ ୧୫ଟି ଓ୍ଵିକେଟ ନିଜ ନାମରେ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ’ ଆଓ୍ଵାର୍ଡ ମିଳିଥିଲା ।

ବିଶ୍ୱକପ ୨୦୧୧ ସମୟରେ ଯୁବରାଜ କ୍ୟାନସର ଭଳି ମାରାତ୍ମକ ରୋଗ ସହିତ ଲଢୁଥିଲେ। ହେଲେ ଟୁର୍ଣ୍ଣାମେଣ୍ଟ ସମୟରେ ଏହି ବିଷୟରେ କେହି ଜାଣିନଥିଲେ ।  ସେ ଫୁସଫୁସ କ୍ୟାନସର ଭଳି ମାରାତ୍ମକ ରୋଗରେ ପଡିତ ହୋଇ ଆମେରିକାର ବୋଷ୍ଟନ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଶେଷ କେମୋ ଥେରାପି ନେଇ ମାର୍ଚ୍ଚ ୨୦୧୨ରେ ସେ ହସ୍ପିଟାଲରୁ ଡିସଚ୍ଚାର୍ଜ ହେଲେ ଓ ଏପ୍ରିଲରେ ଭାରତକୁ ଫେରିଥିଲେ । ସେ ରକ୍ତ ବାନ୍ତି କରି ମଧ୍ୟ କ୍ରିକେଟ ଜଗତରେ ନିଜ ନାଁ କରିଥିଲେ । ତେଣୁ ତାଙ୍କୁ ‘ ଦ ରିଅଲ ଫାଇଟର’ ବୋଲି ମଧ୍ୟ କୁହାଯାଏ।

ତାଙ୍କ କ୍ୟାରିୟରର ଶେଷ ମୁହୂର୍ତ୍ତରେ, ଚୟନକର୍ତ୍ତାଙ୍କ ଠାରୁ ତାଙ୍କର ଅନେକ ଅଭିଯୋଗ ଥିଲା । ଏହା ପରେ ସେ ଅବସର ଘୋଷଣା କରିଥିଲେ । ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ସେ ତାଙ୍କୁ ସୁଯୋଗ ମିଳିନଥିଲା ବୋଲି ସେ କହିଥିଲେ । କିନ୍ତୁ ଏହାକୁ ନେଇ ଚୟନକର୍ତ୍ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଉତ୍ତର ମିଳିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.