ଦଶବର୍ଷ ବୟସରେ ଅନାଥ ହୋଇଗଲା କାର୍ତ୍ତିକ, ଏବେ ଜୀବନ ବଞ୍ଚିବ କେମିତି ଘର ନାହିଁ କି ଖାଇବାକୁ ନାହିଁ

ମାଲକାନାଗିରି (କେନ୍ୟୁଜ) : କଅଁଳ ବୟସରେ ମୁଣ୍ଡରେ ପାହାଡ ଭଳି ବୋଝ। ଦୁନିଆ କଣ ବୁଝିବା ପୂର୍ବରୁ କରୁଛି ଜୀବନ ସହ ସଂଘର୍ଷ। ବିଧାତା ତାକୁ ଏମିତି ଜାଗାରେ ଛିଡା କରିଦେଇଛି ଯେ ଯେଉଁଠୁ ବାହାରିବା ବହୁତ କଷ୍ଟ। ଯେଉଁ କଷ୍ଟକୁ ଯଦି ଆପଣ ବି ଦେଖନ୍ତି ନା ତାହେଲେ ଆପଣଙ୍କର ମନ ବି ବ୍ୟଥିତ ହୋଇଯିବ। ହସିବା ଖେଳିବା ବୟସରେ ଏ ପିଲାଟି ହୋଇଯାଇଛି ଅନାଥ। ବାପା ମା ଛେଉଣ୍ଡ ପିଲାଟି, ସାହାରା ବୋଲି କେହି ନାହିଁ।ପିଲାଟିକୁ ମୁଠାଏ ଦାନା ଦେବାକୁ ମଧ୍ୟ କେହି ନାହାଁନ୍ତି।

ଏ ହୃଦୟ ବିଦାରକ ଦୃଶ୍ଯ ହେଉଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କଣ୍ଡେଲ ଗାଁର। ଆପଣ ଦେଖୁୁଥିବା ଏ କୁନି ପିଲାଟି ହେଉଛି କାର୍ତ୍ତିକ ଦୋରା। ବୟସ ମାତ୍ର ୧୦ ବର୍ଷ। ବର୍ଷକେ ଭିତରେ, ପ୍ରଥମେ ବାପା ଜୟସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ, ଏଇ ତିନି ଦିନ ତଳେ ମାଆ ମଦନା ବି ହୃଦଘାତରେ ଚାଲିଗଲେ ଆରପାରିକୁ। ପାଦ ତଳୁ ମାଟି ଖସି ଗଲା ଭଳି ଦୃଶ୍ଯ ଇଏ, ତିନି ଦିନିଆ ସୁଦ୍ଧି କାର୍ଯ୍ଯ ଏବେ ମଧ୍ୟ ଶେଷ ହୋଇନାହିଁ। କ’ଣ ପାପ କଲା ଏହି ନିରିହ ପିଲାଟି। କାହିଁକି ଜୀବନ କଣ ବୁଝିବା ପୂର୍ବରୁ ଅଜାଡି ହୋଇପଡିଲା ଦୁଃଖ।

ବେଶ୍ ହସଖୁସିରେ ଚାଲୁଥିଲା ଏମାନଙ୍କ ସଂସାର। ହଠାତ୍‌ ଆକାଶର କଳା ବାଦଲ ଏମିତି ଛାଇ ଗଲା ଯେ କାର୍ତ୍ତିକଙ୍କ ଜୀବନରେ ଦୁଃଖ ହିଁ ଦୁଃଖ। କରିବେ ତ… କରିବେ କ’ଣ? ତାଙ୍କର ସାହାରା ବୋଲି କେହି ନାହାନ୍ତି। ମାଆ ଆରପାରିକୁ ଚାଲିଗଲା ପରେ ଏହି ବାପା ମାଆ ଛେଉଣ୍ଡ ପିଲାଟି ଜଣେ ଦୂର ସମ୍ପର୍କୀୟ ଦାଦାଙ୍କ ଘରେ ଆଶ୍ରୟ ନେଇଛି। ଘର ଖଣ୍ଡିଏ ମଧ୍ୟ ନାହିଁ। ଦିନରେ ଘର ଭିତରପଟୁ ଚାଳ ଛପରକୁ ଅନାଇଲେ ସୂର୍ଯ୍ଯ ଦିଶୁଥିବା ବେଳେ, ରାତିରେ ଚନ୍ଦ୍ର। ଝାଟିମାଟି କାନ୍ଥରୁ ମାଟି ଖସିଗଲାଣି। ତେଣୁ ଏହି ଘର ଏଇ ଛୋଟ ପିଲାଟି ପାଇଁ କେତେବେଳେ ବିପଦ ସାଜିବ। ତେଣୁ ଅନ୍ୟ ଘରେ ଆଶ୍ରୟ ନେଇଛି କାର୍ତ୍ତିକ।

ଗାଁ ଲୋକଙ୍କ ସହିତ ଦୂର ସମ୍ପର୍କୀୟମାନେ ମଧ୍ୟ କାର୍ତ୍ତିକଙ୍କ ଉଜ୍ଜ୍ୱଳ ଭବିଷ୍ଯତକୁ ଚିନ୍ତା କରି, ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି। ତେବେ ଏନେଇ ଆମ ପ୍ରତିନିଧି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ଦାସଙ୍କ ସହିତ ଆଲୋଚନା କରିଥିଲୁ। ତାଙ୍କ ପାଖରେ ଏହାକୁ ନେଇ କୌଣସି ଖବର ନାହିଁ ଏବଂ ତଦନ୍ତ ପରେ ପିଲାଟିକୁ ଜୁଭେନାଇଲ ଜଷ୍ଟିସ ଫଣ୍ଡ ଦ୍ୱାରା ସାହାଯ୍ୟ ଯୋଗାଇଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।

ତେବେ ବାପା ମାଆ ଛେଉଣ୍ଡ ଏହି ଅନାଥ ପିଲାଟି ଏତେ ବଡ ଦୁନିଆରେ ବଞ୍ଚିବ କେମିତି। ତେଣୁ ସମସ୍ତଙ୍କ ସାହାଯ୍ୟ ସହଯୋଗ ଦ୍ୱାରା ପିଲାଟିର ଭବିଷ୍ୟତ ସୁଧୁରିପାରନ୍ତା ବୋଲି ଆମର ଆଶା। ଯଦି ଆପଣ କାର୍ତ୍ତିକକୁ କୌଣସି ପ୍ରକାର ଆର୍ଥିକ ସାହାଯ୍ୟ ଯୋଗାଇବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଯୋଗାଯୋଗ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.