ଯନ୍ତ୍ରଣାରେ ଯନ୍ତ୍ରଣାରେ ଚାଲିଗଲା ଜୀବନ, ପେଟର ଟିବି ରୋଗ ଅପରେସନ ପରେ ଆଖିବୁଜିଲା ୧୫ ବର୍ଷର ଝିଅ ଲେହା
ଭୁବନେଶ୍ବର(କେନ୍ୟୁଜ୍): ଯନ୍ତ୍ରଣାରେ ଯନ୍ତ୍ରଣାରେ ଚାଲିଗଲା ଜୀବନ। ଭବିଷ୍ୟତ ପାଇଁ ସୁନେଲୀ ସ୍ବପ୍ନ ଦେଖୁଥିବା ଲେହା ଜୀବନ ଯୁଦ୍ଧରେ ହାରିଗଲା। ଜୀବନ କଣ ବୁଝିବା ଆଗରୁ ସବୁଦିନ ପାଇଁ ଆଖିବୁଜିଦେଲା ୧୫ ବର୍ଷର କଳିକା ଲେହା ନାୟକ। ଦାରିଙ୍ଗିବାଡି ବ୍ଲକ ବ୍ରାହ୍ମଣୀ ଗାଁ ବଡ଼ସାହିର ସୁଦର୍ଶନ ନାୟକଙ୍କ ଝିଅ ଲେହା ନାୟକ କିଛି ଦିନ ହେବ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ବହୁତ ଜାଗାରେ ଦେଖାଇ ଦେଖାଇ ନୟାନ୍ତ ହୋଇ ଶେଷରେ ଭୁବନେଶ୍ବରର ଏମ୍ସ ହସ୍ପିଟାଲ ଆସିଥିଲେ । କିଛି ଦିନ ଚିକିତ୍ସା କରିବା ପରେ ଜଣା ପଡିଥିଲା ତାଙ୍କ ପେଟର ଖାଦ୍ୟ ନଳୀରେ ଟିବି ହୋଇଛି। ତୁରନ୍ତ ଅପରେସନ କରିବାକୁ ପରିବାର ଲୋକଙ୍କ ପରାମର୍ଶ ଦେଇଥିଲେ ଡାକ୍ତର।
ଏ ବିଷୟରେ ଆମେ ଗତକାଲି (୩୧/୦୧/୨୦୨୨)ରେ ଖବର ପ୍ରସାରଣ କରିଥିଲୁ। ପିଲାଟିକୁ ସହାୟତା ପାଇଁ ଦର୍ଶକଙ୍କୁ ଅପିଲ କରିଥିଲୁ । କିନ୍ତୁ ଗତକାଲି ହଠାତ ତା ସ୍ବାସ୍ଥ୍ୟବସ୍ଥା ବିଗିଡ଼ି ଯିବାରୁ ଡାକ୍ତର ଅପରେସନ କରାଇ ଆଇସିୟୁରେ ରଖିଥିଲେ। ଆଜି ତାର ଦେହାନ୍ତ ହୋଇଛି ବୋଲି ଡାକ୍ତର କହିଛନ୍ତି । ଏହି ଖବର ପାଇବା ପରେ ପରିବାର ଲୋକଙ୍କ ଉପରେ ସତେ ଯେମିତି ବଜ୍ର ଖସିପଡିଛି। ସମସ୍ତେ ଗଭୀର ଯନ୍ତ୍ରଣାରେ ଭାଙ୍ଗି ପଡିଛନ୍ତି। ସବୁଠାରୁ ବଡ଼ କଷ୍ଟ ଦେଇଛି ଝିଅଟିର କୋଭିଡ଼ ବାହାରିଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବେ ନାହିଁ । ଏଥିପାଇଁ ପରିବାର ଲୋକେ ବେଶି ମର୍ମାହତ ହୋଇଛନ୍ତି।