ଅଯଥା ଜବତ ସାମଗ୍ରୀ ମାଲଖାନା ବା ଥାନାରେ ରଖାଯିବ ନାହିଁ, ଯାହାର କେହି ଦାବିଦାର ନାହାନ୍ତି ସେ ଗୁଡିକ ନିଲାମ କରି ସେ ଅର୍ଥକୁ ଜାତୀୟକରଣ ବ୍ୟାଙ୍କରେ ରଖାଯାଉ: ହାଇକୋର୍ଟ

କଟକ(କେନ୍ୟୁଜ୍): ରାଜ୍ୟର ବିଭିନ୍ନ ଥାନାରେ ଜବତ ଗାଡି ପ୍ରସଂଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ।ତିନି ମାସ ଭିତରେ ଏ ସମ୍ପର୍କୀତ ସମସ୍ତ ଆବେଦନ ବିଚାର ‌ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଅଯଥା ଜବତ ସାମଗ୍ରୀ ମାଲଖାନା ବା ଥାନାରେ ରଖାଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ରାଜ୍ୟର ବିଭିନ୍ନ ଥାନାରେ ୧୯ ହଜାର ୧୪୯ଟି ଜବତ ଗାଡି ପଡି ରହିଛି। କେତେକ ଗାଡିର କେହି ଦାବିଦାର ମଧ୍ୟ ନାହାନ୍ତି। ଗାଡି ସହିତ ବିଭିନ୍ନ ମାମଲାରେ ଜବତ କରାଯାଉଥିବା ବିଭିନ୍ନ ସାମଗ୍ରୀ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଜବତ ପରେ ଏହି ସବୁ ସାମଗ୍ରୀ ଅଦାଲତ ମାଲଖାନାରେ ବା ଥାନାରେ ବା ତଦନ୍ତକାରୀ ସଂସ୍ଥା କାର୍ଯ୍ୟାଳୟ ପରିସରରେ ପଡି ରହୁଛି।

ଅଦାଲତି ପ୍ରକ୍ରିୟାରେ ଏହି ସବୁ ସାମଗ୍ରୀର ଜିମା ପାଇବାରେ ଅନେକ ସମୟରେ ସମସ୍ୟା ଦେଖା ଦେଉଛି। ଏଭଳି ପ୍ରସଂଗକୁ ହାଇକୋର୍ଟ ଗୁରୁତର ସହିତ ଗ୍ରହଣ କରିଛନ୍ତି। ନିମ୍ନ ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ଜବତ ସାମଗ୍ରୀ ଓ ଗାଡିର ଅନ୍ତରୀଣ ଜିମା ପ୍ରଦାନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି।  ତିନି ମାସ ମଧ୍ୟରେ ବିଭିନ୍ନ ଅଦାଲତରେ ବିଚାରାଧିନ ଏ ସମ୍ପର୍କିତ ଆବେଦନ ଗୁଡିକର ବିଚାର ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଆଶିଷ ରଞ୍ଜନ ମହାନ୍ତିଙ୍କ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ତରଫରୁ କ୍ରାଇମବ୍ରାଞ୍ଚର ଅତରିକ୍ତ ଏସପି ହାଇକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁସାରେ ବିଭିନ୍ନ ଥାନାରେ ଦୁର୍ଘଟଣା, ଚୋରି-ଡକାୟତି ତଥା ନିଶାଦ୍ରବ୍ୟ କାରବାରରେ ବ୍ୟବହୃତ ପ୍ରାୟ ୧୯ହଜାର ୧୪୯ଟି ଗାଡି ଜବତ ହୋଇ ପଡି ରହିଛି । ଏଥିମଧ୍ୟରୁ ୧୫୩୬ଗାଡିର କେହି ଦାବିଦାର ନାହାଁନ୍ତି । ବିଭିନ୍ନ କାରଣରୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ କିନ୍ତୁ ଏହି ଗାଡି ସବୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇ ପାରୁନାହିଁ । ୨୦୨୨ ମେ ୨ତାରିଖ ସୁଦ୍ଧା ସମସ୍ତ ଜିଲ୍ଲା ଅଦାଲତ ଗୁଡିକ ଜବତ ଗାଡି ସମ୍ପର୍କିତ ଆବେଦନର ବିଚାର ଶେଷ କରି ନିର୍ଦ୍ଦେଶନାମା ପ୍ରକାଶ କରିବାକୁ ହାଇକୋର୍ଟ କହିଛନ୍ତି। ଯେଉଁ ଗାଡିର ମାଲିକ ବା ଅନ୍ୟ କେହି ଦାବିଦାର ନାହାନ୍ତି ସେ ଗୁଡିକ ନିଲାମ କରି ଏ ବାବଦ ମିଳିବାକୁ ଥିବା ଅର୍ଥକୁ ଜାତୀୟକରଣ ବ୍ୟାଙ୍କରେ ଜମା ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି।

ସେହିପରି ହାଇକୋର୍ଟଙ୍କ ରେଜିଷ୍ଟ୍ରି ପକ୍ଷରୁ ସବୁ ଜିଲ୍ଲା ଜଜ୍‌ଙ୍କୁ ଏହି ପ୍ରସଙ୍ଗରେ ଏକ ଏସଓପି ଜାରୀ କରାଯିବ। ଜବତ ସାମଗ୍ରୀ ଜିମା ସଂପର୍କିତ ମାମଲାରେ ନିମ୍ନ ଅଦାଲତ ପ୍ରଦାନ କରିବାକୁ ଥିବା ରାୟ ପ୍ରସଂଗରେ ହାଇକୋର୍ଟ ରେଜିଷ୍ଟ୍ରିକୁ ଅବଗତ କରିବେ। ସେହିପରି ହାଇକୋର୍ଟଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପ୍ରସଙ୍ଗରେ ପୁଲିସ ଡିଜି ଓ ଓଡିଶା ରାଜ୍ୟ ଆଇନସେବା  ପ୍ରାଧିକରଣର ସଚିବ ଯଥାକ୍ରମେ ସମ୍ପୃକ୍ତ ଜିଲ୍ଲା ଅଦାଲତ ଓ ଏସପିଙ୍କ ସହିତ  ସମନ୍ୱୟ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୪ତାରିଖକୁ ଧାର୍ଯ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.