ସୁନ୍ଦରଗଡ଼ ନୂଆଗାଁରେ ଫୁଟବଲ୍ ମ୍ଯାଚ୍ ଚାଲିଥିବାବେଳେ ହଠାତ୍ ହେଲା ବଜ୍ରପାତ: ୨ ବାଳକଙ୍କ ମୃତ୍ୟୁ, ୨୯ଆହତ

ରାଉରକେଲା(କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ବଜ୍ରପାତରେ ଦୁଇ ଜଣ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଆହତ ମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ବିରମିତ୍ରପୁର ବିଧାୟକ ଶଙ୍କର ଓରାମ , ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ ଆର ଜି ଏଚ ରେ ପହଞ୍ଚି ଆହତଙ୍କ ଚିକିତ୍ସା ବାବଦରେ ଡାକ୍ତରଙ୍କ ସହ ଆଲୋଚନା କରୁଛନ୍ତି।  ରାଉରକେଲା ସରକାରୀ ଡାକ୍ତରଖାନା ସୁପରିଟେଣ୍ଡେଣ୍ଟ ଡାକ୍ତର ଜଗଦୀଶ ଚନ୍ଦ୍ର ବାରିକ ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ବନେଇଲତା ଫୁଟବଲ ପଡ଼ିଆରେ ପୁଟରୀଖମନ ଓ ବନେଇଲତା ଗ୍ରାମର ଯୁବକ ମାନଙ୍କ ମଧ୍ୟରେ ଫୁଟବଲ ମ୍ୟାଚ୍ ଚାଲିଥିଲା। ପ୍ରଥମ ପର୍ଯ୍ୟାୟ ମ୍ୟାଚ୍  ପରେ ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍ କୁ ଅପେକ୍ଷା କରିଥିବା ବେଳେ ବିନା  ବର୍ଷାରେ  ଅଚାନକ ବିଜୁଳି , ଘଡଘଡି ମାରିଥିଲା । ବଜ୍ରପାତରେ ଘଟଣାସ୍ଥଳରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ, ଅନ୍ୟ ୨୯ ଜଣ ବାଳକ ଆହତ ହୋଇଥଇଲେ।  ଏହି ବଜ୍ରପାତରେ କେବଳ ଉଭୟ ଗାଁର ଖେଳାଳୀ ନୁହଁନ୍ତି ଖେଳ ଦେଖିବାକୁ ଯାଇ ପଡ଼ିଆ ବାହାରେ ଠିଆ ହୋଇଥିବା ଗାଁର  କିଛି ପିଲାମାନେ ମଧ୍ଯ ଆହତ ହୋଇଛନ୍ତି । ଆହତ ମାନଙ୍କ ଚିକିତ୍ସା ରାଉରକେଲା ସରକାରୀ ଡାକ୍ତରଖାନାରେ ଚାଲିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.