କଟକ: କ୍ୟାନସର ହସ୍ପିଟାଲର ୨ ନର୍ସଙ୍କୁ କରୋନା, ସିଡିଏ ସେକ୍ଟର ୯ରୁ ଜଣେ ଆକ୍ରାନ୍ତ ଚିହ୍ନଟ ପରେ କିଛି ସ୍ଥାନକୁ କରାଗଲା କଣ୍ଟେନମେଣ୍ଟ ଜୋନ

କଟକ(କେନ୍ୟୁଜ୍):  ଭୁବନେଶ୍ବର ଭଳି ଏବେ କଟକରେ ମଧ୍ୟ କାୟା ବିସ୍ତାର କରି ଚାଲିଛି କରୋନା। ଗୋଟିଏ ପରେ ଗୋଟିଏ କରୋନା ଯୋଦ୍ଧାକୁ ଆକ୍ରାନ୍ତ କରିବାରେ  ଲାଗିଛି ଏହି ମହାମାରୀ।  କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୟାନସର ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗଞ୍ଜାମର ଚିକିତ୍ସାଧୀନ ଜଣେ ରୋଗୀଙ୍କ ଠାରେ ପଜିଟିଭ୍ ଚିହ୍ନଟ ହୋଇଥିଲା। ୨ ନର୍ସ ସେହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସେମାନଙ୍କ ଠାରେ କରେନା ପଜିଟିଭ ଚିହ୍ନଟ ହୋଇଥିଲା । ହସ୍ପିଟାଲର ୫୨ ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ପାଇଁ ଯାଇଥିଲା। ୫୦ ଜଣଙ୍କର ନେଗେଟିଭ୍ ଆସିଥିବା ବେଳେ ୨ ନର୍ସଙ୍କ ପଜିଟିଭ ଆସିଛି। ପଜିଟିଭ ଜଣାପଡ଼ିବା ପରେ ୨ ନର୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଅନ୍ୟପଟେ  କଟକ ସେକ୍ଟର ୯ ଅଂଚଳର କିଛି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ସିଏମସି। ସେହି ଅଞ୍ଚଳରେ ଜଣେ  ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଂଚଳକୁ ସାନିଟାଇଜ କରିଛି ମହାନଗର ନିଗମ । ଏହା ଜାଣିବା ପରେ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ଭୟଭୀତ ନହେବା ପାଇଁ ସଚେତନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.