ପଟ୍ଟାମୁଣ୍ଡାଇରେ କଙ୍ଗାରୁ କୋର୍ଟରେ ବାପ-ପୁଅକୁ ନିସ୍ତୁକ ମାଡ଼ ଘଟଣା:୨ ସରପଞ୍ଚଙ୍କ ସମେତ ୬ ଗିରଫ

ପଟ୍ଟାମୁଣ୍ଡାଇ(କେନ୍ୟୁଜ୍): ପଟ୍ଟାମୁଣ୍ଡାଇରେ କଙ୍ଗାରୁ କୋର୍ଟରେ ବାପ-ପୁଅକୁ ନିସ୍ତୁକ ମାଡ଼ ଘଟଣାରେ ୨ ସରପଞ୍ଚଙ୍କ ସମେତ ୬ ଜଣ ଗିରଫ । ବଳିପାଳ ଓ ବିଜୟନଗର ସରପଞ୍ଚ, ଜଣେ ସମିତିସଭ୍ୟାଙ୍କ ସ୍ୱାମୀ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି । ଏହି କଙ୍ଗାରୁ କୋର୍ଟରେ ବାପପୁଅଙ୍କୁ ମାଡ଼ ପ୍ରତିବାଦରେ ମହାଦେବ ଫିଲିଂ ଷ୍ଟେସନ ନିକଟରେ ଶତାଧିକ ମହିଳା ଓ ପୁରୁଷ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆସାମୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ଜଣାଇଥିଲେ । ଏଥିସହିତ ପେଟ୍ରୋଲ ଟାଙ୍କି ମାଲିକଙ୍କ ଘର ଉପରକୁ ଢେଲା ମାଡ଼ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ସାନମୋହନପୁର ପଞ୍ଚାୟତ ସାହୁପଡ଼ାରେ ଥିବା ମହାଦେବ ଫିଲିଂ ଷ୍ଟେସନରୁ ଗତ ୮ ତାରିଖରେ ଏକ ଲକ୍ଷ ୯୭ ହଜାର ଟଙ୍କା ଚୋରି ଅଭିଯୋଗରେ ବାପ-ପୁଅଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା । ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁଥିବା ବିଜୟନଗର ଗାଁର ନାବାଳକ ଓ ତାଙ୍କ ବାପା ଗଙ୍ଗାଧର ନାଥଙ୍କୁ ପେଟ୍ରୋଲ ପମ୍ପ ମାଲିକ ଅଶୋକ ପତିଙ୍କ ଘରକୁ ନିଆଯାଇଥିଲା ।

pattamundai 2

ସେଠାରେ ସାନମୋହନପୁର ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ବେହେରା, ବିଜୟନଗର ସରପଞ୍ଚ ସୋମନାଥ ତ୍ରିପାଠୀ, ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ ଓ ସମିତି ସଭ୍ୟାଙ୍କ ସ୍ୱାମୀ ତପନ ରାଉତ ଉପସ୍ଥିତ ଥିଲେ । ଉଭୟଙ୍କୁ ମାଡ଼ ମାରି କରେଣ୍ଟ ଦେଇଥିଲେ ଅଭିଯୋଗ ହୋଇଥିଲା । ଏ ସଂପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଥିଲା । ଗତ ୧୩ ତାରିଖ ଦିନ ପେଟ୍ରୋଲ ପମ୍ପ ପଛ ପଟୁ ଟଙ୍କା ମିଳିବା ପରେ ଘଟଣା ବାବଦରେ କାହାକୁ କିଛି ନ କହିିବା ପାଇଁ ନାବାଳକ ଓ ତାଙ୍କ ବାପାଙ୍କୁ ପେଟ୍ରୋଲ ପମ୍ପ ମାଲିକ ଧମକ ଦେଇଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.