ସମ୍ବଲପୁର ଓକିଲ ସଂଘର ୨୯ ଓକିଲଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ, କୋର୍ଟ ଭଙ୍ଗାରୁଜା ଘଟଣାରେ ଥିଲେ ଅଭିଯୁକ୍ତ
ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଓକିଲ ସଂଘର ୨୯ ଓକିଲଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଲା ଜାମିନ। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହୋଇଥିବା ଆନ୍ଦୋଳନ ଓ କୋର୍ଟ ଭଙ୍ଗାରୁଜା ଘଟଣାରେ ମିଳିଲା ଜାମିନ। ୫୮ଦିନ ପରେ ଜେଲରେ ଥିବା ୨୯ଜଣ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। ଗତ ଡିସେମ୍ବର ୧୨ତାରିଖରେ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଓକିଲ ଆନ୍ଦୋଳନ ସମୟରେ ଜିଲ୍ଲା ଜଜ୍ କୋର୍ଟ ପରିସରରେ ବ୍ୟାପକ ଭଙ୍ଗାରୁଜା ହୋଇଥଲା। ‘
ସିସି ଟିଭି ଫୁଟେଜ ଆଧାରରେ ୨୯ ଜଣ ଓକିଲ, କୋର୍ଟର ଜଣେ ପିଅନ ଓ ଆଠଜଣ କିନ୍ନରଙ୍କୁ ଗିରଫ କରିଥିଲା ପୋଲିସ। ସୁପ୍ରିମ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ କୋର୍ଟ ପରିସରରେ ଭଙ୍ଗାରୁଜା ପାଇଁ ମୋଟ୍ ୩୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସମ୍ବଲପୁର ପୋଲିସ୍। ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର, କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ସହିତ ଅନେକ ବରିଷ୍ଠ ଆଇନଜୀବୀ ଗିରଫ ହୋଇଥିଲେ। ପ୍ରଥମେ ସମ୍ବଲପୁର SDJM କୋର୍ଟ ଓ ପରେ ଜିଲ୍ଲା ଜଜ୍ କୋର୍ଟରେ ଜାମିନ୍ ଆବେଦନ ଖାରଜ ହୋଇଥିଲା। ଆଜି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଜାମିନ ପ୍ରଦାନ ଘଟଣାର ଶୁଣାଣି କରି ସମସ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଏହାସହ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ନକରିବା ସହ ଏ ସମ୍ପର୍କିତ କୌଣସି ମତାମତ ଗଣମାଧ୍ୟମ ଆଗରେ ନଦେବା ପାଇଁ ସର୍ତ୍ତ ସହ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।.