ଡକାଡକି ହୋଇ ଆରପାରିକୁ ଚାଲିଗଲେ ବାପା ମା’, କଅଁଳ କାନ୍ଧାରେ ଦୁଇ ଛୋଟ ଭାଇଙ୍କ ଦାୟିତ୍ବର ବୋଝ ବୋହୁଛି ଏହି କୁନି କଳିକା

ମୋହନା(କେନ୍ୟୁଜ୍): ଭଙ୍ଗା ଦଦରା କୁଡିଆ ଘରେ ତିନି ଆଦିବାସୀ ଅନାଥ ଶିଶୁଙ୍କ ଜୀବନ । ଜୀବନ କଣ ଜାଣିବା ପୁର୍ବରୁ ଏହି ତିନି ଶିଶୁ ନିଜ ବାପା ମାଁ ଙ୍କୁ ହରାଇଦେଲେ। ଗୋଟିଏ ପଟେ ଦାରିଦ୍ର୍ଯ ଓ ଅନ୍ଯପଟେ ଅନାଥର ଦୁଃଖ ସତେ ଯେମିତି ଏମାନଙ୍କ ଉପରେ ଦୁଃଖର ପାହାଡ଼ ଲଦି ହେଇଯାଇଛି। କୁନିକୁନି ଦୁଇଭାଇ ଙ୍କ ପେଟ ଚାଖଣ୍ଡେ ପାଇଁ ଏବେ ଭଉଣୀ ନିଜର କିଛି ଜମିରେ ଚାଷ କରୁଥିବା ବେଳେ ଅନ୍ଯପଟେ ମୁଲଲାଗି ଘର ଚଳାଉଛି। କୁଲି କଲେ ଏମାନଙ୍କ ଚୁଲି ଜାଳିଥାଏ।

ଏହି ତିନି ଅନାଥ ଶିଶୁ ହେଲେ ଅନତି ମଳିକ ( ୧୭), ବିଶ୍ରାମ ମଳିକ ( ୧୪) ଏବଂ ଅନନ୍ତ ମଳିକ ( ୧୨) ।ମୋହନା ବ୍ଲକ ଶିକୁଳିପଦର ପଞ୍ଚାୟତ ର ପଦାସାହି ଗ୍ରାମର ଦଣ୍ଡାସୀ ମଳିକ ଏବଂ କୁନ୍ତଳା ମଳିକ ଙ୍କ ଏମାନେ ହେଲେ ତିନି ସନ୍ତାନ, ୨୦୨୧  ଡିସେମ୍ବର ୧୦ ରେ ବାପା ଦଣ୍ଡାସି ଜ୍ୱର ରେ ପଡି ଆରପାରିକୁ ଚାଲିଗଲେ । ଏହାର ଠିକ୍‌ ଚାରି ମାସ ପରେ ଅର୍ଥାତ ୨୦୨୨ ଏପ୍ରିଲ ୨୪ ତାରିଖ ରେ ଚିନ୍ତା ଏବଂ ରୋଗରେ ପଡି ମାଁ କୁନ୍ତଳା ମଧ୍ୟ ଆରପାରିକୁ ଚାଲିଗଲେ । ଏହାପରେ ଅନାଥ ହୋଇଗଲେ ଏହି ତିନି ନିରୀହ ଶିଶୁ ପାଠ ଉପରେ ଡୋରି ମଧ୍ୟ ପଡିଗଲା।

ଖେଳିବା ପଢିବା ବୟସ ରେ ଆରମ୍ଭ ହେଲା ଜୀବନ ବଞ୍ଚିବା ପାଇଁ ସଂଘର୍ଷ, ଝିଅ ଅନତି ର ପଢିବା ପାଇଁ ପ୍ରବଳ ଇଚ୍ଛା କିନ୍ତୁ ପେଟ ପାଇଁ ଦାନ ଯୋଗାଡ଼ କରିବା ବ୍ଯସ୍ତ ରେ ପଢ଼ିବା ପାଇଁ ବହି ଖାତା ଥିଲେ ମଧ୍ୟ ପାଠ ପଢ଼ିପାରୁନାହାନ୍ତି l ଅନତି ର ନବମ ଶ୍ରେଣୀ, ବିଶ୍ରାମ ର ଅଷ୍ଟମ ଏବଂ ଅନନ୍ତ ର ପଞ୍ଚମ ଶ୍ରେଣୀ ରେ ପାଠ ପଢା ରେ ଡୋରି ପଡିଛି । ଖାଇବାକୁ ଖାଉଟି କାର୍ଡ ରେ କେବଳ ଚାଉଳ 20 କେଜି ପଞ୍ଚାୟତ ରୁ ମିଳୁଛି। ଏଭଳି କ୍ଷେତ୍ର ରେ ଏହି ଶିଶୁମାନେ ଏକ ଅଭିଶପ୍ତ ଶୈଶବ ବିତାଉଛନ୍ତି । ସରକାର ଏବଂ ପ୍ରଶାସନ ଯଦି ଏହି ଅନାଥ ଶିଶୁ ମାନଙ୍କ ଭବିଷ୍ଯତ ଗଢିବା ର ଦାୟିତ୍ବ ନେଇ ପରାନ୍ତେ ତା ହେଲେ ଏମାନଙ୍କ ଆଗାମୀ ଜୀବନ ଉଜ୍ଵଳ ହୋଈ ପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।

ଆମେ ଏ ନେଇ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ପ୍ରତିକ୍ରିୟା ନେଇଥିଲୁ ଏକ ଆଶ୍ରମ ବିଦ୍ୟାଳୟ ରେ ଶିଶୁ ମାନଙ୍କ ପାଠପଢା ର ବ୍ଯବସ୍ଥା କରାଯିବା ସହ ଜ଼ିଲ୍ଲା ଶିଶୁ ସୁରକ୍ଷା ସମିତିରେ ଶିଶୁ ମାନଙ୍କୁ ହାଜର କରାଯାଇ ସରକାରୀ ନିୟମ ପ୍ରକାରେ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.