ଛାତରେ ଲୁଗା ଶୁଖାଇବା ହେଲା କାଳ: ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ପ୍ରବାସୀ ଓଡିଆ ଆଖିବୁଜିଲେ

ଯାଜପୁର ଟାଉନ(କେନ୍ୟୁଜ୍): ଚାହୁଁ ଚାହୁଁ ଚାଲିଗଲା ୩ ଜୀବନ । ବଡ ଝିଅ ଟିଉସନ ଯାଇଥିବାରୁ ରକ୍ଷା ପାଇଯାଇଛି ସିନା କିନ୍ତୁ ତା ବାପା,ମା ଓ କୁନି ଭଉଣୀ ଚାଲିଯାଇଛନ୍ତି ଆର ପାରିକି। ଏ ଘଟଣା ହେଉଛି ହାଇଦ୍ରାବାଦରେ ରହୁଥିବା ବିଂଝାରପୁର ବରପଦା ଗାଁର ବାସୁଦେବ ମଲ୍ଲିକଙ୍କ ପରିବାର । ବାସୁଦେବ ସେଠାରେ ଏକ ଘରୋଇ କଂପାନିରେ କାମ କରୁଥିଲେ । ରହୁଥିବା ଭଡା ଘରେ ଲୁଗା ଶୁଖାଇବାକୁ ଯାଇଥିବା ବେଳେ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂଷ୍ପର୍ଶରେ ଆସି ବାସୁଦେବ,ତାଙ୍କ ପତ୍ନୀ ରୀନା ଏବଂ ସାନ ଝିଅ ବିଶ୍ୱଶ୍ରୀଙ୍କର ମୃତ୍ୟୁ ଘଟିଛି । କେବଳ ବଡ ଝିଅ ଶୁଭଶ୍ରୀ ଅଳ୍ପକେ ରକ୍ଷାପାଇଯାଇଛନ୍ତି । ଏ ନେଇ ଖବର ଗାଁରେ ପହଂଚିବା ପରେ ପୁରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାର ବର୍ଗକୁ ସହାୟତା ଯୋଗାଇଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ
ଘଟଣା ସଂପର୍କରେ ଖବର ପାଇ ବାସୁଦେବଙ୍କ ପରିବାର ଲୋକେ ସେଠାକୁ ଯାଇ ଶବ ସଂସ୍କାର ମଧ୍ୟ କରିଛନ୍ତି । ବାସୁଦେବଙ୍କ ଏକମାତ୍ର ଝିଅ ଶୁଭଶ୍ରୀ ଙ୍କ ଭବିଷ୍ୟତ କଣ ହେବ ତାକୁ ନେଇ ଚିନ୍ତାରେ ଭାଂଗିପଡିଛନ୍ତି ଗ୍ରାମବାସୀ । ମୃତ୍ୟୁ କଣ ଏମିତି ଆସେ ଏକା ସଂଗେ ବାପା ମା ଓ ଭଉଣୀକୁ ସାଂଗରେ ନେଇଯାଏ । ଏଭଳି ପ୍ରଶ୍ନ ଘାରିଛି ପରିବାର ଲୋକଙ୍କୁ । ଏଭଳି ପରିସ୍ଥିତିରେ ବାସୁଦେବଙ୍କ ପରିବାରକୁ ସହାୟତା କରିବାକୁ ପ୍ରଶାସନ ଆଗେଇ ଆସିବା ଆବଶ୍ୟକ । ସ୍ଥାନୀୟ ସରପଂଚ ଜିଲାପ୍ରଶାସନ ନିକଟରେ ମୃତକଙ୍କ ପରିବାର ବର୍ଗକୁ ସହାୟତା ଯୋଗାଇବା ସହିତ ବଡ ଝିଅ କୁ ନିଜ ଗାଁକୁ ଆଣିବା ପାଇଁ ଦାବୀ କରିଛନ୍ତି ।ଶୁଭଶ୍ରୀଙ୍କୁ ଥଇଥାନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।