ପଦ୍ମପୁର ପାଇଁ ଆରମ୍ଭ ହେଲା କସରତ, କିଏ କାହାକୁ ପ୍ରାର୍ଥୀ କରିବ ଚାଲିଛି ଅଙ୍କକଷା

ଭୁବନେଶ୍ବର(କେନ୍ୟୁଜ୍): ପଦ୍ମପୁରରେ କିଏ ହେବେ ପ୍ରାର୍ଥୀ ? ୩ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ କସରତ ଆରମ୍ଭ କରିଛନ୍ତି । ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡ଼ିଛି ଏହି ଆସନ । ତାଙ୍କ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦୧୯ ସାଧାରଣ ନିର୍ବାଚନ ପରେ ବରଗଡ଼ ଲୋକସଭା ନିର୍ବାଚମଣ୍ଡଳୀର ଏହା ହେଉଛି ତୃତୀୟ ଉପ ନିର୍ବାଚନ । ବିଜେପୁର, ବ୍ରଜରାଜନଗର ଆଉ ଏବେ ପଦ୍ମପୁର । ବିଜେପୁର ଓ ବ୍ରଜରାଜନଗରରେ ବିଜେଡି ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇ ବିଜୟୀ ହୋଇଥିଲା । ବିଜେଡି କହିଛି, ପଦ୍ମପୁର ଆମର ଥିଲା । ଆମର ହିଁ ରହିବ ।

ସେପଟେ ବିଜେପିରୁ ପୁଣି ଥରେ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ । ଗତ ନିର୍ବାଚନରେ ବିଜୟ ରଞ୍ଜନ ସିଂ ବରିହାଙ୍କଠାରୁ ୫ହଜାର ୭୩୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ ପ୍ରଦୀପ ପୁରୋହିତ । ପଦ୍ମପୁର ପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି । ତିନି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି ଦଳ । କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାୟିତ୍ୱରେ ରହିଛନ୍ତି । ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ପଦ୍ମପୁରରେ ବି ପ୍ରଚାର କରିବେ ।

ସେପଟେ କଂଗ୍ରେସ କାହାକୁ କରିବ ପ୍ରାର୍ଥୀ? ଗତଥରର ବିଧାୟକ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ପୁଣି ଥରେ ଦଳ ଟିକେଟ୍‌ ଦେବ କି ? ପ୍ରାର୍ଥୀ ଚୟନ ନେଇ କଂଗ୍ରେସ ଏକ କମିଟି ଗଠନ କରିଛି । ଗତ ୨୦୧୯ ନିର୍ବାଚନରେ ସତ୍ୟଭୂଷଣ ସାହୁ ୧୬.୨୫% ଭୋଟ୍‌ ପାଇଥିଲେ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ପଦ୍ମପୁର ନିର୍ବାଚନମଣ୍ଡଳୀରେ ସତ୍ୟଭୂଷଣ ସାହୁଙ୍କ ଦବଦବା ରହିଛି । କଂଗ୍ରେସ ତାଙ୍କୁ ଟିକେଟ ଦେଲେ ଭଲ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.