ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରାଯିବ, ଖର୍ଚ୍ଚ ହେବ ୩୮୫ କୋଟି

ନୂଆ' ଓଡ଼ିଶା ଯୋଜନାକୁ ଅନୁମୋଦନ ମିଳିଛି । ନୂତନ ଉନ୍ନତ ଅଭିଳାଷ (NUA) ଓଡ଼ିଶା ଯୋଜନାରେ ରାଜ୍ୟରେ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ୩୮୫ କୋଟି ଖର୍ଚ୍ଚ ହେବ ।

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ କ୍ୟାବିନେଟରେ ୧୯ଟି ପ୍ରସ୍ତାବରେ ବାଜିଲା ମୋହର । ‘ନୂଆ’ ଓଡ଼ିଶା ଯୋଜନାକୁ ଅନୁମୋଦନ ମିଳିଛି । ନୂତନ ଉନ୍ନତ ଅଭିଳାଷ (NUA) ଓଡ଼ିଶା ଯୋଜନାରେ ରାଜ୍ୟରେ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରିବା ପାଇଁ ୩୮୫ କୋଟି ଖର୍ଚ୍ଚ ହେବ । ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଦକ୍ଷ ମାନବ ସମ୍ବଳର ଅଭାବକୁ ଦୂର କରିବାରେ ଏହି ଯୋଜନା କାର୍ଯ୍ୟ କରିବ । ହସ୍ତଶିଳ୍ପ, ହସ୍ତତନ୍ତ, କୃଷି ଆଦି କ୍ଷେତ୍ରରେ ନୂଆ ଜ୍ଞାନକୌଶଳର ବ୍ୟବହାରରେ ଥିବା ଦକ୍ଷତା ବ୍ୟବଧାନକୁ ଦୂର କରିବାରେ ଏହା ସହାୟକ ହେବ ।

ରାଜ୍ୟର ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଦକ୍ଷତା ଅନୁଷ୍ଠାନ, ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କ୍ଲଷ୍ଟର ମାଧ୍ୟମରେ ଦକ୍ଷତା ଓ ରିସ୍କିଲିଂ ସୁବିଧା ଯୋଗାଇଦିଆଯିବ । ସେହିପରି ମାଣ୍ଡିଆର ପ୍ରସାର ଓ ପ୍ରଚାର ପାଇଁ ନୂଆ ଯୋଜନା ହେବ । ସ୍ବତନ୍ତ୍ର ଯୋଜନା ପାଇଁ କ୍ୟାବିନେଟରେ ଅର୍ଥ ମଂଜୁର ହୋଇଛି ।

ଓଡ଼ିଶା ମୋବାଇଲ ଟାୱର ଓ ଟେଲିଗ୍ରାଫ୍ ପଲିସି ସଂଶୋଧନକୁ ମଧ୍ୟ ଅନୁମୋଦନ ମିଳିଛି । ବ୍ୟାଙ୍କ ଶାଖା ନଥିବା ସବୁ ପଞ୍ଚାୟତରେ ମିଳିବ ବ୍ୟାଙ୍କିଂ ସୁବିଧା । ଅସ୍ତରଙ୍ଗ, ଗୋପ, କାକଟପୁର, ଡେଲାଙ୍ଗ, ପୁରୀ ସଦର ଓ ସତ୍ୟବାଦୀରେ ହେବ ପାନୀୟ ଜଳ ପ୍ରକଳ୍ପ । ନାଇଜର ପରିସରରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଟାଟା ମେମୋରିଆଲ ସେଣ୍ଟର ପକ୍ଷରୁ ଖୋଲିବ କ୍ୟାନସର ହସପିଟାଲ । ଏଥିପାଇଁ ୪୮.୮୪୨ ଏକର ଜମି ପ୍ରଦାନ କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.