ଆଜି ରାତିରୁ ପ୍ରବଳ ବର୍ଷା, ଓଡିଶାର ୪ ନଦୀ ବଢିବାର ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ଅବପାତ ଆଣୁଛି ବଡ଼ ବର୍ଷା । ଆଜିଠାରୁ ରାଜ୍ୟରେ ଭୀଷଣ ବର୍ଷା ହେବ । ପ୍ରବଳ ବର୍ଷା ସମ୍ଭାବନା ପାଇଁ ୪ ଜିଲ୍ଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼କୁ ଆଲର୍ଟ କରାଯାଇଛି । ଆଜି ରାତିରୁ ପ୍ରବଳ ବର୍ଷା ହେବ । ଉପରମୁଣ୍ଡରେ ବର୍ଷା ହେଲେ ୪ଟି ନଦୀ ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଆଶଙ୍କା ରହିଛି । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଏସବୁ ନଦୀ ଉପରେ ନଜର ରଖଯାଇଛି ।

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜଳଭଣ୍ଡାରରୁ ଜଳସ୍ତର କମାଯାଉଛି । ସେସବୁ ଡ୍ୟାମର ଜଳସ୍ତରକୁ ୫୦ ପ୍ରତିଶତ ତଳକୁ ଆଣିବାକୁ ଦିଆଯାଇଛି ନିର୍ଦ୍ଦେଶ । ସେହିପରି ଦକ୍ଷିଣ ଶିମିଳିପାଳରେ ଅଧିକ ବର୍ଷା ହେଲେ ବୈତରଣୀର ଶାଖାନଦୀ ସାଳନ୍ଦୀରେ ବନ୍ୟା ଆସିପାରେ । ଏଥିପାଇଁ କାଲିଠାରୁ ସାଳନ୍ଦୀ ନଦୀର ୩୦୦୦ କ୍ୟୁସେକ୍‌ ପାଣି ନିଷ୍କାସନ କରାଯାଉଛି । ସାଳନ୍ଦୀ ସିଷ୍ଟମକୁ ଦୃଷ୍ଟିରେ ରଖି ଭଦ୍ରକ ସହର ଉପରେ ମଧ୍ୟ ନଜର ରଖାଯାଇଛି । ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଓଡ୍ରାଫ, ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍‌ ନିୟୋଜିତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.