ଭଦ୍ରକରେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ଧରାପଡ଼ିଲେ ୫ ଲୁଟେରା

ଭଦ୍ରକ(ବ୍ୟୁରୋ):  ଭଦ୍ରକରେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ । ୫ ସିନ୍ଧି ଚୋର ଓ ୪ ରିସିଭରଙ୍କୁ ଗିରଫ କଲା ଗ୍ରାମାଞ୍ଚଳ ଥାନା ପୋଲିସ । ବିପୁଳ ପରିମାଣର ସୁନା, ରୁପା ଅଳଙ୍କାର ସହ ମୋବାଇଲ ଫୋନ ଜବତ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସକୁ ବଡ଼ ଧରଣର ସଫଳତା । ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଗ୍ରାମାଞ୍ଚଳ ପୋଲିସ । ଏମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନାରୁପା ଜବତ ସହ ୫ ଜଣ ସିନ୍ଧି ଚୋର ଓ ୪ ରିସିଭରଙ୍କୁ ଗିରଫ କରିଛି ଗ୍ରାମାଞ୍ଚଳ ଥାନା ପୋଲିସ । ଲୁଟେରାଙ୍କ ନିକଟରୁ ୩୧୨ ଗ୍ରାମ ସୁନା, ୪ କେଜି ରୁପା ଅଳଙ୍କାର, ବାଇକ, ମୋବାଇଲ ଫୋନ, ଖେଳନା ବନ୍ଧୁକ ସମେତ ଚୋରିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି । ପୋଲିସ ସୂଚନା ଅନୁଯାୟୀ, ଗତ ଜୁଲାଇ ୨୨ ତାରିଖରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦେଉଳପାଳ ଗାଁରେ ଜଣଙ୍କ ଘରୁ ଚୋରି ହୋଇଥିଲା ।

ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗିରଫ ଚୋରମାନେ ବିଭିନ୍ନ ଅଳଙ୍କାର ଦୋକାନରେ ଚୋରି ସାମଗ୍ରୀ ବିକ୍ରି କରୁଥିଲେ । ଏପରିକି ସୁନା ଓ ରୁପା ଚୋରି ସାମଗ୍ରୀକୁ ବନ୍ଧକ ଦେଇ ମନପୁରମ ଗୋଲଡ ଲୋନରୁ ଋଣ ନେଇଥିବା ପୋଲିସ ସୂଚନା ଦେଇଛି । ସିନ୍ଧି ଚୋର ଗ୍ୟାଙ୍ଗକୁ ଠାବ କରି ୫ ଜଣ ସିନ୍ଧି ଚୋର ଓ ୪ ଜଣ ରିସିଭରଙ୍କୁ ଧରିବାରେ ସଫଳ ହୋଇଛି । ଲୁଟେରା ଗ୍ୟାଙ୍ଗ ଭଦ୍ରକ, ଯାଜପୁର, ଢେଙ୍କାନାଳ, ଭୁବନେଶ୍ୱର, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଲୋକଙ୍କ ଘରେ ପଶି କଳାକନା ବୁଲାଉଥିଲେ । ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ଗ୍ରାମାଞ୍ଚଳ ଥାନା ପୋଲିସ ଅଧିକ ତଦନ୍ତ ଚଳାଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.