ଡକାୟତି ଉଦ୍ୟମ ଯୋଜନା ପଣ୍ଡ: ୫ ଗରିଫ, ବୋମା, ବନ୍ଧୁକ ଓ ମାରଣାସ୍ତ୍ର ଜବତ

ବ୍ରହ୍ମପୁର(କେନ୍ୟୁଜ୍): ଡକାୟତି ଉଦ୍ୟମ ଯୋଜନା ପଣ୍ଡ । ଡକାୟତ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗରିଫ କରିଛି ପୋଲିସ୍ । ସେମାନଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ, ତିନୋଟି ଅଫୁଟା ଗୁଳି, ୨ଟି ଖଣ୍ଡା, ଆଇରନ ପାଇପ୍ ,ନଗତ ୫ଶହ ଟଙ୍କା, ଦୁଇଟି ମୋଟର ସାଇକେଲ ଓ ଦୁଇଟି ଅଫୁଟା ବୋମା ଜବତ ହୋଇଛି । ଗିରଫ ମାନେ ହେଲେ ବ୍ରହ୍ମପୁର ଓଆରଟି କଲୋନୀର ଏ. ଶ୍ରୀନିବାସ ରାଓ ଓରଫ କୋକୋ, ଗେଟ୍ ବଜାର ଧୋବା ସାହିର କୁନା ସେଠୀ, ଗାନ୍ଧୀନଗର ଚତୁର୍ଥ ଲାଇନର ସନ୍ଦିପ ଅଗ୍ରୱାଲ ଓରଫ ସ୍ୟାଣ୍ଡି, ଖାଜା ସାହିର ଆଲିଆସ ଖାନ ଓ ରଙ୍ଗୁଣିବନ୍ଧ ସାହିର କାହ୍ନୁ ପଣ୍ଡା । ଗତକାଲି ପେଟ୍ରୋଲିଂ କରିବା ସମୟରେ ପୋଲିସ୍ ଏମାନଙ୍କୁ ଧରିଥିବା ସୂଚନା ମିଳିଛି ।

ମିଳିଥବା ସୂଚନା ଅନୁସାରେ, ସହରର ସୁରଜ ବିହାରର ଏକ ଦୋକାନ ପଛପାଖରେ କିଛି ଯୁବକ ସନ୍ଦେହ ଜନକ ଭାବେ ବୁଲୁଥିବାର ଦେଖିବାକୁ ପାଇଥିଲା ଟାଉନ ଥାନା ପୋଲିସ୍ । ସେମାନଙ୍କୁ କାବୁ କରି ଜେରା କରିବା ପରେ ଜଣାପଡିଥିଲା ଯେ ନିକଟରେ ଥିବା ଦୋକାନରୁ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ଅନ୍ୟପଟେ ଗିରଫ ହୋଇଥିବା ଡକାୟତଙ୍କ ନାଁରେ ବ୍ରହ୍ମପୁରର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଆଜି ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.