ବାହାଘର ପାଇଁ ଘରେ ରଖାଯାଇଥିବା ବାଣ ବିସ୍ଫୋରଣ, ୭ ଗୁରୁତର
ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁହାବାଡ଼ି ସିହଳ ସାହିରେ ବାଣ ବିସ୍ଫୋରଣରେ ୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତ ଆହତ ଓ ଗୁରୁତରଙ୍କୁ ପ୍ରଥମେ କୋଦଳା ମେଡିକାଲ ଓ ପରେ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ମୁତାବକ, ଆଜି ଅପରାହ୍ନରେ ଦଣ୍ଡପାଣି ବେହେରାଙ୍କ ଘରେ ହଠାତ୍ ବିସ୍ଫୋରଣ ହୋଇଥିଲା। ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ଘରେ ବାଣ ବିସ୍ଫୋରଣ ହୋଇଥିବା ଜାଣିଥିଲେ। ଏହି ବିସ୍ଫୋରଣରେ ଘର ଭିତରେ ଥିବା ୭ ଜଣ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପ୍ରଥମେ ସେମାନଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବାଣ ବିସ୍ଫୋରଣରେ ସାତ ଜଣ ଗୁରୁତର ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି। ଆସନ୍ତା ୨୬ ତାରିଖରେ ଘରେ ଏକ ବିବାହ କାର୍ଯ୍ୟକ୍ରମ ଥିବାରୁ ବାଣ ରଖାଯାଇଥିଲା। ଏବେ ତାହା ବିସ୍ଫୋରଣ ହୋଇଛି।
Also Read: ଭଦ୍ରକ: ବଜରାପୁର ଗାଁରେ ବଜ୍ରାଘାତ, ଜଣେ ଯୁବକଙ୍କ ମୃତ୍ୟୁ