କୁନି ପ୍ରତିଭା ମନାଲୀ : ୬ ବର୍ଷ ବୟସରେ ଯୋଗ ଓ ନୃତ୍ୟରେ ଏକଦମ୍ ପାରଙ୍ଗମ

ଝାରସୁଗୁଡା(କେନ୍ଯୁଜ୍): ବୟସ ମାତ୍ର ଛଅ ବର୍ଷ । ପାଠ ପଢନ୍ତି ୟୁକେଜିରେ । କମ୍ ବୟସ ହେଲେ କଣ ହେଲା ପ୍ରତିଭା କିନ୍ତୁ ପୁରା ଭରପୁର। ଏତେ କମ ବୟସରୁ ଯୋଗ ଏବଂ ନୃତ୍ୟରେ ଏକଦମ୍ ପାରଙ୍ଗମ କୁନି ଝିଅଟି । ତେବେ ଜାତୀୟ ଯୋଗ ପ୍ରତିଯୋଗୀତାରେ ତୃତୀୟ ସ୍ଥାନ ହାସଲ କରିବାସହ ଜାତୀୟସ୍ତରୀୟ  ଶହେ ଏକ(୧୦୧) ସୂର୍ଯ୍ଯ ନମସ୍କାର ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଝାରସୁଗୁଡାର ମନାଲୀ ବେରା  ।

କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ଇଚ୍ଛା ଥିଲେ ଅସାଧ୍ୟ କାର୍ଯ୍ଯ ବି ସାଧ୍ୟ ହୋଇପାରେ । ଯାହାକୁ ସଠିକ ପ୍ରମାଣିତ କରିଛନ୍ତି ମନାଲୀ । ଜେଏସଡବ୍ଲୁ ବିପିଏସଏଲ ଟାଉନସିପିରେ ରହୁଥିବା ଅଭିଜିତ ବେରା ଓ ପରୋମା ସାମନ୍ତ ବେରାଙ୍କ ଝିଅ ହେଉଛନ୍ତି ମନାଲି  । ମନାଲୀ କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି ବଳରେ ମାତ୍ର ୬ ବର୍ଷ ବୟସରେ ନୃତ୍ୟ ଏବଂ ଯୋଗରେ ପାରଙ୍ଗମ ହୋଇ ସାରିଲେଣି । ଯେଉଁ ବୟସରେ ଛୋଟ ଛୁଆ ମାନେ ଟିଭି ସମ୍ମୁଖରେ ବସି କାଟୁନ ଦେଖି ନିଜର ସମୟ ଅତିବାହିତ କରନ୍ତି , ସେହି ବୟସରେ ମନାଲୀ କିନ୍ତୁ ଆଡଭାନ୍ସ ଯୋଗ ଏବଂ ଆଧୁନିକ ନୃତ୍ୟରେ ଅନେକ ସଫଳତା ହାସଲ କରିସାରିଲେଣି।

monali bora

ମନାଲୀ ପ୍ରତିଦିନ ସକାଳ ୬ ଟାରୁ ଉଠି ଯୋଗ ଓ ନୃତ୍ୟ ଅଭ୍ଯାସ କରନ୍ତି । ସେ ପ୍ରଥମେ ନୃତ୍ୟରେ ରୂଚି ରଖିଥିଲେ । ଫଳରେ ତାଙ୍କର ବାପା ମାଁ ମନାଲୀକୁ ଝାରସୁଗୁଡାର ଜେକ୍‌ ଏକାଡେମୀରେ ନୃତ୍ୟ ପ୍ରଶିକ୍ଷଣ କରାଇବା ଆରମ୍ଭ କରିଥିଲେ । ତେବେ ନୃତ୍ୟକୁ ଶାଣିତ କରିବା ପାଇଁ ଯୋଗର ଆବଶ୍ଯକତା ରହିଥିବା ଅନୁଭବ କରି ଦୁଇ ଜଣ ଯୋଗ ଶିକ୍ଷକଙ୍କ ଠାରୁ ମନାଲୀଙ୍କ ଯୋଗାଭ୍ଯାସ ମଧ୍ୟ କରାଉଛନ୍ତି ।  ଛୋଟ ଛୁଆ ଟିଏ ହୋଇଥିଲେ ମଧ୍ଯ ବାପା ମା ତଥା ଗୁରୁଙ୍କ ପରିଶ୍ରମକୁ ବ୍ଯର୍ଥ ହେବାକୁ ଦେଇ ନାହାନ୍ତି ମନାଲୀ । ମନାଲୀ ସଫଳତା ପାଇଁ  ତାଙ୍କ ବାପା ମାଁ ଖୁବ୍ ଗର୍ବିତ । ତେବେ ସେମାନେ ଏହି ସଫଳତାର ସମସ୍ତ ଶ୍ରେୟ ମନାଲୀଙ୍କ ପରିଶ୍ରମ ଓ ଗୁରୁମାନଙ୍କୁ ଦେଇଛନ୍ତି ।

ସେହିପରି ଏତେ କମ ବୟସରୁ ବିଚକ୍ଷଣ ଯୋଗ ଏବଂ ନୃତ୍ୟ କରି ପାରୁଥିବା ମନାଲୀ ଆଗାମୀ ଦିନରେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ନାଁ କରିବେବୋଲି ତାଙ୍କର ଗୁରୁମାନେ ଆଶା କରିଛନ୍ତି । ବଡ ହୋଇ ଯୋଗା ଷ୍ଟାର ହେବାକୁ ସ୍ବପ୍ନ ଦେଖିଥିବା ମନାଲୀ ଏମିତି ନିଜର ପରିଶ୍ରମ ଜାରି ରଖିଲେ, ନିହାତୀ ଖୁବ୍ କମ୍ ଦିନରେ ସଫଲତାର ଶୀର୍ଷରେ ପହଁଚିବେ ଏଥିରେ ତିଳେ ମାତ୍ର ଦ୍ବନ୍ଦ ନାହିଁ ।

 

ଝାରସୁଗୁଡାରୁ ସନ୍ତୋଷ ସାହୁଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.