ଗଣ୍ଠିଗାଡ଼ିଆ ଗାଁର ଗାଈ ଗୋଠରେ ହାତୀଛୁଆ, ସଭିଏଁ ଦେଖି ଚକିତ

ଅନୁଗୁଳ ଜିଲ୍ଲା ଗଣ୍ଠିଗାଡ଼ିଆ ଗାଁ ନିକଟ ଜଙ୍ଗଲରୁ ଏହି ହାତୀ ଛୁଆଟି ନିଜ ହାତୀ ଗୋଠରୁ ଅଲଗା ହୋଇଯାଇ ଗଣ୍ଠିଗାଡ଼ିଆ ଗାଈଗୋଠରେ ମିଶିଯାଇଥିଲା । ଆଉ ସେହି ଗାଈଗୋଠ ପଛେ ପଛେ କୁନି ହାତୀଟି ଆସି ପଂହଁଚି ଯାଇଥିଲା ଗାଁ ଭିତରେ ।

ଅନୁଗୁଳ(କେନ୍ୟୁଜ): ଗାଁ ଦାଣ୍ଡରେ ବୁଲୁଛି ହାତୀ ଛୁଆ । ଦେଖିବାକୁ ହୋଇଛି ଭାରି ସୁନ୍ଦର ଡଉଲ ଡାଉଲ । ମଣିଷକୁ ଦେଖି ତାମନରେ ଟିକେ ବି ଡର କି ଭୟ ନାହିଁ । ସମସ୍ତଙ୍କୁ ଚିହ୍ନିଲା ଭଳି ଆପଣାର କରିଦେଇଛି । ପିଲା ଠୁ ବୁଢା ସଭିଏଁ ତାକୁ ଦେଖି ଭାରି ଖୁସି । ଗାଁକୁ ଯେମିତି ଆସିଛି କୋଉ କୁଣିଆଁ। ଯେମିତି କାହା ଘରକୁ କୁଣିଆଁ ଆସିଲେ ଘର ପୁରି ଉଠେ। ଆଜି ସେମିତି ଗଣ୍ଠିଗାଡ଼ିଆ ଗାଁ ପୁରି ଉଠିଛି ଏଇ କୁନି ହାତୀଟିକୁ ପାଖରେ ପାଇ ।

ଏଇ କୌତୁକିଆ ଦୃଶ୍ୟଟି ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଗଣ୍ଠିଗାଡ଼ିଆ ଗାଁରେ । ଗଣ୍ଠିଗାଡ଼ିଆ ଜଙ୍ଗଲରୁ ଏହି ହାତୀ ଛୁଆଟି କୁଆଡେ ଆଜି ନିଜ ହାତୀ ଗୋଠରୁ ଅଲଗା ହୋଇଯାଇ ଗଣ୍ଠିଗାଡ଼ିଆ ଗାଈଗୋଠରେ ମିଶିଯାଇଥିଲା । ଆଉ ସେହି ଗାଈଗୋଠ ପଛେ ପଛେ କୁନି ହାତୀଟି ଆସି ପଂହଁଚି ଯାଇଥିଲା ଗାଁରେ । ଗାଁ ଭିତରେ ହାତୀ ଛୁଆଟିକୁ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇ ହାଇଯାଇଥିଲେ। ଏବେ ସମସ୍ତେ ତାକୁ ସ୍ନେହ ଆଦର କରୁଛନ୍ତି । କିଏ କେତେ କଣ ସବୁ ତାକୁ ଖାଇବା ଦେଉଛନ୍ତି। ଆଉ ତାକୁ ପାଣି ବି ପିଆଇ ଦେଉଛନ୍ତି ।

ସୂଚନା ଅନୁଯାୟୀ, ଗଣ୍ଠିଗାଡ଼ିଆ ଜଙ୍ଗଲରେ ରହିଥିବା ହାତୀପଲ ଭିତରେ ଏହି ଛୁଆ ହାତୀଟି ରହିଥିଲା। ଜଙ୍ଗଲରେ ଛୁଆ ହାତୀକୁ ଛାଡ଼ି ମା’ ଓ ହାତୀପଲ ପଳାଇଥିଲେ । ଯାହାଫଳରେ ସେ. ଗୋଠ ଛଡା ହୋଇଯାଇଥିଲା । ସେହି ସମୟରେ ଜଙ୍ଗଲକୁ ଗାଈଗୋରୁ ଚରିବାକୁ ଯାଇଥିବା ବେଳେ ଗାଈ ଗୋଠରେ ମିଶିଯାଇଥିଲା ହାତୀଛୁଆଟି ଏବଂ ସେମାନଙ୍କ ସହିତ ଗାଁ ମଧ୍ୟକୁ ପଶି ଆସିଥିଲା ।

ଗାଈଗୋରୁ ନିଜ ନିଜ ଗୁହାଳକୁ ପଳାଇ ଥିବାବେଳେ ହାତୀଛୁଆଟି ଗାଁ ଦାଣ୍ଡରେ ଏକା ଏକା ବୁଲୁଥିଲା। ଲୋକେ ତାକୁ ଦେଖିବା ପରେ ପ୍ରଥମେ ବାଲଟିରେ ପାଣି ପିଇବାକୁ ଦେଇଥିଲେ । ତେବେ ଏହି ଘଟଣା ନେଇ ବନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ଗ୍ରାମବାସୀ । ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଁଚି ହାତୀ ଛୁଆଟିକୁ ଉଦ୍ଧାର କରିବା ସହ ହାତୀପଲରେ ମିଶାଇବାକୁ ଉଦ୍ୟମ ଚଳାଇଛନ୍ତି। ହାତୀଛୁଆର ବୟସ ପ୍ରାୟ ୪ମାସ ହେବ ବୋଲି ଜଣାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.