Below header

ବାଲେଶ୍ୱର: କର୍କଟ ରୋଗରେ ଆକ୍ରାନ୍ତ ସ୍ତ୍ରୀର ଚିକିତ୍ସା ପାଇଁ ଦୃଷ୍ଟିହୀନ ସ୍ୱାମୀର ଆକୁଳ ନିବେଦନ

ବାଲେଶ୍ୱର: କର୍କଟ ରୋଗରେ ଆକ୍ରାନ୍ତ ସ୍ତ୍ରୀ । ସ୍ତ୍ରୀର ଚିକିତ୍ସା ପାଇଁ ଦୃଷ୍ଟିହୀନ ସ୍ୱାମୀର ଆକୁଳ ନିବେଦନ । ଦୁଇଟି ପିଲାଙ୍କୁ ନେଇ ହସଖୁସିରେ ସଂସାର କରିବାକୁ ସ୍ୱପ୍ନ ଦେଖିଥିବା ପରିବାରଟି ଏବେ ଦିଗହରା । ସତେ ଯେମିତି ଦଇବ ଦାଉ ସାଧୁଛି । ଦିନେ ହସଖୁସିରେ ଚାଲୁଥିବା ପରିବାର ଉପରେ ଏବେ କଳା ବାଦଲ ଘୋଟି ଆସିଛି । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅର୍ନ୍ତଗତ ଲଙ୍ଗଳେଶ୍ୱର ଗାଁର ବିଷ୍ଣୁପଦ ବେହେରା । ଏକ ଘରୋଇ ବସରେ ଡ୍ରାଇଭର ଭାବେ କାମ କରୁଥିଲେ ବିଷ୍ଣୁପଦ । ହେଲେ ଏବେ ଆଖି ହରାଇବା ପରେ ରୋଜଗାର ମଧ୍ୟ ହରାଇ ସାରିଛନ୍ତି । ୪ବର୍ଷ ପୂର୍ବରୁ ହଠାତ୍‌ ବିଷ୍ଣୁପଦଙ୍କ ଆଖି ଫୁଲିବାକୁ ଲାଗିଲା ।

କିଛିଦିନ ପରେ ଗୋଟିଏ ଆଖି ନଷ୍ଟ ହେବା ପରେ ଆଉ ଗୋଟିଏ ଆଖିକୁ ମଧ୍ୟ ଦେଖାଯାଉନି । ପାଖରେ କାଣି କଉଡିଟିଏ ନଥିବାରୁ ମେଡିକାଲ ଯିବାତ ଦୂରର କଥା, ପରିବାର ଚଳାଇବା ବି କଷ୍ଟ । ଅର୍ଥାଭାବ ହେତୁ ଭାଙ୍ଗି ଯାଇଥିବା ମାଟି ଘରେ ଏବେ ପଲିଥିନ ଟାଣି ରହୁଛନ୍ତି । ହେଲେ ଦୁଖ ଏତିକିରେ ସରିନି । ସ୍ତ୍ରୀ ସୁକାନ୍ତିଙ୍କୁ ଗ୍ରାସ କଲା କର୍କଟ । ଏବେ ସୁକାନ୍ତିଙ୍କ ଦେହ ସାରା ରୋଗ ବିସ୍ତାର କରି ସାରିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ପାଖରେ ଯାହା ଥିଲା ସ୍ତ୍ରୀଙ୍କ ପଛରେ ସବୁ ଖର୍ଚ୍ଚ କରିସାରିଲେଣି ବିଷ୍ଣୁପଦ । ଏପଟେ ଅର୍ଥ ଅଭାବରୁ ଦୁଇ ପିଲାଙ୍କ ପାଠ ପଢାରେ ଡୋରି ଲାଗିଲାଣି । ଏବେ ଏହି ଗରିବ ପରିବାରକୁ ପ୍ରଶାସନର ସହାୟତା ନିହାତି ଆବଶ୍ୟକ । ସେପଟେ ଏ ସମ୍ପର୍କରେ ବାଲିଆପାଳ ଭାରପ୍ରାପ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଯାଇଛି । ଖୁବଶୀଘ୍ର ତଦନ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବା ସହ ଚିକିତ୍ସା ପାଇଁ ଅର୍ଥର ବ୍ୟବସ୍ଥା କରିବାକୁ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.