ମାନବିକତା ଆଗରେ ହାର ମାନିଲା ଲୋଭ, ମୁସଲିମ ମହିଳାଙ୍କ ହଜିଥିବା ସୁନା ଓ ଟଙ୍କା ଭର୍ତ୍ତି ଭ୍ୟାନିଟ ପାଇ ଫେରାଇଲେ ପାଟପୁର ସରପଞ୍ଚ

ଯାଜପୁର : ଅନେକ ସମୟରେ ଦେଖାଯାଏ ଯେ, କିଛି ଲୋକ ଲୋଭର ବଶବର୍ତ୍ତି ହୋଇ ମାନବିକତାକୁ ମାରିଦିଅନ୍ତି । ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ଅନ୍ୟର ତଣ୍ଟି ଚିପିବାକୁ ମଧ୍ୟ ପଛାନ୍ତି ନାହିଁ । ହେଲେ ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ମାନବିକତାକୁ ସର୍ବଶ୍ରେଷ୍ଠ ସମ୍ପତ୍ତି ଭାବି  ନିସ୍ୱାର୍ଥପର ପରୋପକାରିତାକୁ ନିଜର ବ୍ରତ କରିଥାଆନ୍ତି। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ପଞ୍ଚାୟତର ସରପଞ୍ଚ ନଗେନ ଦାସ ।

କିଛିଦିନ ତଳେ ନଗେନ ଜାରକା ବଜାରର ଏକ ଗ୍ୟାରେଜ ସମ୍ମୁଖରୁ ଏକ ଭ୍ୟାନିଟ ବ୍ୟାଗ ପାଇଥିଲେ। ଯେଉଁଥିରେ ସୁନାଚେନ,ଲକେଟ,ରୂପା ପାଉଁଜି,ନଗଦ ୭୫୦ ଟଙ୍କା ସହିତ ଏକ ଏଟିଏମ କାର୍ଡ ଥିଲା। ଏହି ଭ୍ୟାନିଟି ବ୍ୟାଗଟି କାହାର ବୋଲି କିଛି ଜଣା ନପଡିବାରୁ ନଗେନଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଥିଲା । ବ୍ୟାଗରେ ଥିବା ଏଟିଏମ କାର୍ଡଟିକୁ ନେଇ ସ୍ଥାନୀୟ ବ୍ୟାଙ୍କରେ ଦେଇ ମହିଳାଙ୍କ ସମ୍ପର୍କରେ ସୂଚନା ଆଣିଥିଲେ ଓ ଜାଣିବାକୁ ପାଇଥିଲେ ହଜିଥିବା ଭ୍ୟାନିିଟିଟି ହେଉଛି ସ୍ଥାନୀୟ ତାରାପୁର ଅଞ୍ଚଳର ସେକ୍‌ ଆୟୂବଙ୍କ ପତ୍ନୀ ଅଫସାନା ବେଗମଙ୍କର। ପରେ ନଗେନ ଅଫସାନାଙ୍କୁ ଫୋନ କରି ଭ୍ୟାନିଟିଟିକୁ ଫେରାଇଥିଲେ। ଅଫସାନା ନିଜ ହଜିଥିବା ଭ୍ୟାନିଟି ବ୍ୟାଗକୁ ପାଇ ଖୁସିରେ ଗଦଗଦ ହୋଇଯାଇଥିଲେ ଓ ନଗେନଙ୍କ ଏଭଳି ମାନବିକତା ପାଇଁ କୃତଜ୍ଞତା ଜଣାଇଥିଲେ । ନଗେନ ବାବୁଙ୍କ ଏଭଳି ନିସ୍ୱାର୍ଥପର କର୍ମ ପାଇଁ ତାଙ୍କୁ ଅଞ୍ଚଳବାସୀଙ୍କ ତରଫରୁ ଅନେକ ପ୍ରସଂଶା ମିଳିଛି ।

 

Leave A Reply

Your email address will not be published.