ଟିଟିଲାଗଡ: ମଜୁରିଆମାନଙ୍କୁ ନିର୍ମାଣ ଶ୍ରମିକର ପରିଚୟ ପତ୍ର ଦେବା ଆଳରେ ଶ୍ରମିକମାନଙ୍କ ଠାରୁ ପାଞ୍ଚ ଶହ ଟଙ୍କା ଆଦାୟ କରୁଥିବା ଅଭିଯୋଗ

ଟିଟିଲାଗଡ(କେନ୍ୟୁଜ): ଗୋଟିଏ ପଟେ ଲକଡାଉନରେ ଲୋକେ ହନ୍ତସନ୍ତ । ଗରୀବ ଦିନମଜୁରିଆ ଯେମିତି ପ୍ରଭାବିତ ନହେବେ ତାଙ୍କ ପାଇଁ ଯୋଜନା ପରେ ଯୋଜନା । ଏମିତିକି ମାଗଣା ରାସନ ସହ ଏକ ହଜାର ଟଙ୍କା ବି ପ୍ରଦାନ କରାଯାଇଛି । କାହାକୁ ଭୋକ ଉପାସରେ ନ ରଖିବାକୁ ବି ପରାମର୍ଶ ଦିଆଯାଇଛି । ହେଲେ ଟିଟିଲାଗଡ ଅଞ୍ଚଳରେ ଦିନ ମଜୁରିଆ ମାନଙ୍କୁ ନିର୍ମାଣ ଶ୍ରମିକର ପରିଚୟ ପତ୍ର ଦେବା ଆଳରେ ଶ୍ରମିକମାନଙ୍କ ଠାରୁ ପାଞ୍ଚ ଶହ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଏମିତିକି ସମ୍ପୁକ୍ତ ବ୍ୟକ୍ତି ଜଣକ ବେଶ ଆରାମରେ ନିରୀହ ଶ୍ରମିକ ମାନଙ୍କୁ ଠକି ଚାଲୁଥିବା ବେଳେ କେହି ଜାଣିବି ପାରୁନଥିଲେ । ତେବେ ଟିଟିଲାଗଡ ବ୍ଲକ ମହୁଲପଡା ସରପଞ୍ଚକୁ ସନ୍ଦେହ ହେବାରୁ ସଂପ୍ରୁକ୍ତ ବ୍ୟକ୍ତିକୁ ତାଗିଦ କରିବା ସହ ଗରିବ ଲୋକଙ୍କ ଟଙ୍କା ଫେରାଇଦେବାକୁ କହିବାରୁ ଘଟଣା ଏବେ ସାମନାକୁ ଆସିଛି ।

ବେଶ ଆରାମରେ ନିଜକୁ ଜଣେ ବାବୁର ପରିଚୟ ଦେଇ ଲୋକଙ୍କ ଠାରୁ ଶ୍ରମିକ କାର୍ଡ କରେଇଦେବା ଓ କାର୍ଡ ପାଇଲେ ସରକାରଙ୍କ ଠାରୁ ବିଭିନ୍ନ ଯୋଜନା ମାଧ୍ୟମରେ ଟଙ୍କା ପାଇବା ସହ ମାଗଣାରେ ସାଇକେଲ, ଘର ଆଦି ପାଇବା ପାଇଁ ପ୍ରଲୋଭନ ଦେଖାଇ ଲୋକଙ୍କୁ ନିର୍ମାଣ ଶ୍ରମିକ କାର୍ଡ ଯୋଗାଇଦେବା ପାଇଁ ଗାଁ ଗାଁ ବୁଲି ସରପଞ୍ଚ , ସମତି ସଭ୍ୟ ତଥା ୱାର୍ଡମେମ୍ବର ମାନଙ୍କୁ ଟାର୍ଗେଟ କରୁଛନ୍ତି ଏହି ବାବୁ ଜଣକ ।ଟିଟିଲାଗଡ ବ୍ଲକ ମହୁଲପଡା ପଞ୍ଚାୟତର ସରପଞ୍ଚକୁ ଏହି ବାବୁ ଜଣକ ଟାର୍ଗେଟ କରି ଲୋକଙ୍କୁ ଭୁଆଁ ବୁଲାଉଥିବା ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ ଫୁଟେଜ ଅନୁସାରେ ଏହି ବାବୁ ଜଣକ ହେଉଛନ୍ତି ଟିଟିଲାଗଡ ବ୍ଲକ କୁରସୁଡ ଗାଁ ପ୍ରଦିପ ପାତ୍ର ବୋଳି ଜଣାପଡିଛି । ଗାଁ ଗାଁ ବୁଲି ଲୋକଙ୍କୁ ଟାଗେର୍ଟ କରି ଶ୍ରମିକ କାର୍ଡ କରାଇଦେବା କହି ପ୍ରତି କାର୍ଡ ପିଛା ପାଞ୍ଚ  ଶହ ଟଙ୍କା ଆଦାୟ କରିବାରେ ବାବୁ ଜଣକ ବେଶ ଉସ୍ତାଦ । ମହୁଲପଡା ପଞ୍ଚାୟତର ଗୁଲମି ଗାଁରେ ବି ଏମିତି ଭୁଆଁ ବୁଲାଇବାକୁ ଯାଇଥିଲେ ବାବୁ ପ୍ରଦିପ ପାତ୍ର । ଶ୍ରମିକ ମାନଙ୍କ ଠାରୁପାଞ୍ଚ  ଶହ ଆଦାୟ କରିବାରୁ ସରପଞ୍ଚକୁ ସନ୍ଦେହ ହୋଇଥିଲା । ପରେ ଗାଁର କେତେକ ଯୁବକ ଆସି ପାଞ୍ଚ  ଶହ ଟଙ୍କା କେମିତି କାର୍ଡ ପିଛା ନେଉଛ ବୋଲି ପ୍ରଦିପ ପାତ୍ର ନାମକ ବ୍ୟକ୍ତିଙ୍କୁ ପ୍ରଶ୍ନ କରିଥିଲେ । ହେଲେ ବାବୁ ଜଣକ ସନ୍ତୋଷ ଜନକଉତ୍ତର ଦେଇପାରିନଥିଲେ । ସରପଞ୍ଚ  ତୁରନ୍ତ ଟଙ୍କା ପେରାଇଦେବାକୁ ତାଗିଦ କରିଥିଲେ । କିନ୍ତୁ ବାବୁ ଜଣକ ଫେରାର ମାରିବାରେ ସକ୍ଷମ ହୋଇଥିଲେ ।

ଗ୍ରାମବାସୀଙ୍କ କହିବା କଥା ଯେ, ବର୍ତ୍ତମାନ ଲକଡାଉନ ସମୟରେ ନିର୍ମାଣ ଶ୍ରମିକ କାର୍ଡ କରାଇଦେବା ଆଳରେ ପ୍ରତି ଶ୍ରମିକ ପିଛା ପାଞ୍ଚ ଶହ ଟଙ୍କା ମାଗିବା ଘଟଣା ସମଗ୍ର ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହେଉଥିବା ସନ୍ଦେହକୁ ଆହୁରି ଘନିଭୁତ କରୁଛି । ସମଗ୍ର ଟିଟିଲାଗଡ ଅଞ୍ଚଳରେ ପ୍ରଦିପ ପାତ୍ର ଏମିତି ଗରିବ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗ ହେବା ସହ ଏହି ଘଟଣାର ଭିଜିଲାନ୍ସ ବିଭାଗର ତଦନ୍ତ କରିବାକୁ ଦାବୀ କରିଛନ୍ତି । ସରପଞ୍ଚଙ୍କ କହିବା କଥା ଯେ,ତାଙ୍କ ଘରକୁ ତଥା ଦପ୍ତରକୁ ଅନେକ ଲୋକ ଆସନ୍ତି ବିଭିନ୍ନ ଯୋଜନାକୁ ନେଇ ,ହେଲେ ସେମାନଙ୍କ ପରିଚୟ ମିଲିପାରୁନାହିଁ । ନିର୍ମାଣ ଶ୍ରମିକ କାର୍ଡ ଯୋଗାଇଦେବା ଆଳରେ ପାଞ୍ଚ ଶହ ଟଙ୍କା ମାଗିବାରୁ ସନ୍ଦେହ ହୋଇଥିଲା । କିନ୍ତୁ ତାଗିଦ କରିବା ପୁର୍ବରୁ ସେ ଅନେକ ଦିନମଜୁରିଆଠାରୁ ଟଙ୍କା ଆଦାୟ କରିସାରିଥିଲେ । ତୁରନ୍ତ ତାଙ୍କୁ ଟଙ୍କା ଫେରାଇବାକୁ କହିବାରୁ ସବୁ କାଗଜପତ୍ର ,ଦସ୍ତାବିଜ ଧରି ଫେରାର ମାରିଥିଲା ।

ସେପଟେ ଘଟଣାକୁ ନେଇ ଟିଟିଲାଗଡ ଉପଜିଲ୍ଲାପାଳ କହିଛନ୍ତି ଯେ, ନିରୀହ ଲୋକଙ୍କୁ ଠକିବା ପାଇଁ ଅନେକ ଅସାମାଜିକ ବ୍ୟକ୍ତି ରହିଛନ୍ତି । ନିର୍ମାଣ ଶ୍ରମିକ ପ୍ରମାଣପତ୍ର ଶ୍ରମି ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ବେଳେ ଲୋକେ ଏହା ଜାଣିନପାରି ଠକାମିର  ଶୀକାର ହେଉଛନ୍ତି । ଲୋକେ ସଚେତନ ହେବା ସହ ଏମିତି ଲୋକଙ୍କୁ ଦେଖିଲେ ପୋଲିସ ତଥା ପ୍ରଶାସନକୁ ଜଣାଇବାକୁ କହିଛନ୍ତି । ତେବେ ଏହାରି ଉପରେ ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଳି ଉପଜିଲ୍ଲାପାଳ କହିଛନ୍ତି ।

 

ଅନେକ ପଞ୍ଚାୟତର ସରପଞ୍ଚ ଦାୟିତ୍ୱରେ ମହିଳାମାନେ ରହିଥିବା ବେଳେ ଏମିତି ପଞ୍ଚାୟତକୁ ଟାଗେର୍ଟ କରିବା ସହ ନିରୀହ ଗରିବ ଲୋକଙ୍କୁ ଲୁଟିଚାଲିଛନ୍ତି । କେବଳ ମହୁଲପଡା ନୁହେଁ ଟିଟିଲାଗଡ ବ୍ଲକ ଅଧିନସ୍ଥ ଅନେକ ପଞ୍ଚାୟତରେ ଏପରି କାରନାମା ଘଟିଥିବା ଜଣାପଡିଛି । ତେବେ ଏହାରି ଉପରେ କଣ ପଦକ୍ଷେପ ନିଆଯିବ ତାହା ଆଗାମି ସମୟ କହିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.