ବର ବେଶରେ ସଜେଇ ହେବା ପୂର୍ବରୁ ଝୁଲିଗଲେ ପ୍ରସନ୍ନ: ନିବର୍ନ୍ଧ ପରଦିନ ଚାଲିଯାଇଥିଲେ ବାପା, ଆଉ ବାପାଙ୍କ ଶୁଦ୍ଧିକ୍ରିୟା ପରେ କାକା

ବାହାଘର, ଏଥିପାଇଁ ସମସ୍ତଙ୍କ ମନରେ ବେଶ୍‌ ଖୁସି। ହସଖୁସିରେ ଫାଟି ପଡୁଛି ଘର। କିନ୍ତୁ ସବୁକିଛି ଓଲଟପାଲଟ ହୋଇଗଲା। ବର ବେଶରେ କନ୍ୟାଘରକୁ ବାହାରିବାର କିଛି ସମୟ ପୂର୍ବରୁ ବରର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁରର ମେହେର ପରିବାରରେ। ୬ ମାସ ମଧ୍ୟରେ ବାପା, ପୁଅ, କାକାଙ୍କର ଅକାଳ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର।

marriage

ଘଟଣା ମୁତାବକ, ରାମପୁର ନିବାସୀ ସ୍ବର୍ଗତ ଗିରିଜା ପ୍ରସାଦ ମେହେରଙ୍କ ମଝିଆଁ ପୁଅ ପ୍ରସନ୍ନ ମେହେର (୪୧)ଙ୍କ ବାହାଘର। ମାତ୍ର ବିନିକା ଥାନା ଘାଟିଘଟିଏନ ମନ୍ଦିର ନିକଟ ୱେସ୍କୋ ଗ୍ରିଡ୍ ସମ୍ମୁଖ ଜଙ୍ଗଲରୁ ରବିବାର ସକାଳ ୬ଟାରେ ପ୍ରସନ୍ନଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ଶୁଭ କାର୍ଯ୍ୟ ପାଇଁ ଆନନ୍ଦରେ ଏକତ୍ରିତ ହୋଇଥିବା ପରିବାର ଉପରେ ସତେ ଯେମିତି ଘଡଘଡି ପଡିଗଲା। ଖୁସିର ମାହୋଲ କାନ୍ଦ ବୋବାଳିରେ ଫାଟିପଡିଲା। କ’ଣ ହୋଇଗଲା କେହି ବୁଝିପାରିଲେନି।

ଘାଟିଘଟିଏନ ମନ୍ଦିର ନିକଟ ୱେସ୍କୋ ଗ୍ରିଡ୍ ସମ୍ମୁଖ ଜଙ୍ଗଲରେ ଏକ ଶବ ଝୁଲୁଥିବା ଖବର ପାଇ ବିନିକା ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା। ପ୍ରସନ୍ନଙ୍କ ପରିଚୟ ପାଇବା ପରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା। ପୁଲିସ ଶବ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଘଟଣାସ୍ଥଳରୁ ପୁଲିସ ପ୍ରସନ୍ନଙ୍କ ମୋବାଇଲ ଓ ବାଇକ୍ (ଓଡି ୩୧- ୪୭୬୯)କୁ ଜବତ କରିଛି। ପ୍ରାଥମିକ ତଦନ୍ତରୁ ପ୍ରସନ୍ନ ଆତ୍ମହତ୍ୟା କରିଥିବା ପୁଲିସ କହିଛି। ଏ ନେଇ ଏକ ମାମଲା ରୁଜୁ କରି ବିନିକା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

22

ପ୍ରକାଶଥାଉ କି, ୬ ମାସ ତଳେ ପ୍ରସନ୍ନଙ୍କ ନିର୍ବନ୍ଧ ପଦ୍ମପୁର ନିବାସୀ ଦୟାନିଧି ମେହେରଙ୍କ ଝିଅ ସହ ଅନୁଷ୍ଠିତ ହୋଇଥିଲା। ନିର୍ବନ୍ଧ ପରଦିନ ତାଙ୍କ ବାପାଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଗଲା। ବାପାଙ୍କ ମୃତ୍ୟୁ ଶୁଦ୍ଧିକ୍ରିୟାର କିଛି ଦିନ ପରେ ତାଙ୍କ କକାଙ୍କ ମୃତ୍ୟୁ ହୋଇଗଲା। ତେଣୁ ବିବାହକୁ ଘୁଞ୍ଚାଇ ଦିଆଯାଇଥିଲା। ପ୍ରସନ୍ନ ଏକ ପବ୍ଲିକ ସ୍କୁଲରେ କିଛି ବର୍ଷ ହେଲା ଶିକ୍ଷକତା କରୁଥିଲେ। ବିବାହକୁ ନେଇ ସେ ମାନସିକ ଚାପରେ ରହୁଥିବା ଶୁଣିବାକୁ ମିଳିଛି। ତେବେ, ଏହି ଅଘଟଣ ପଛର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.