ସଂଶୋଧିତ ମୋଟର ଯାନ ଆଇନ ଆସିବା ପରେ ରାଜ୍ୟରେ କମିଛି ଦୁର୍ଘଟଣା, ବିଧାନସଭାରେ ପରିବହନ ମନ୍ତ୍ରୀଙ୍କ ଉତ୍ତର
କେନ୍ୟୁଜ୍(ବ୍ୟୁରୋ): ବାଇକ ଚାଳକଙ୍କ ହେଲମେଟ ଧରପଗଡ଼ ପରେ ରାଜ୍ୟରେ କମିଲା ଦୁର୍ଘଟଣା। କେବଳ ଦୁର୍ଘଟଣା ନୁହେଁ ମୃତ୍ୟୁ ସଂଖ୍ୟା ବି କମିଛି। ବିଧାନସଭାରେ ପରିବହନ ମନ୍ତ୍ରୀ ରଖିଥିବା ଉତ୍ତରରୁ ଏହା ସ୍ପଷ୍ଟ। ରାଜ୍ୟରେ ୨୦୧୮ ତୁଳନାରେ ୨୦୧୯ରେ କମିଛି ଦୁର୍ଘଟଣା। ଗତ ସେପ୍ଟେମ୍ବର ୧ରୁ ଲାଗୁ ହୋଇଛି ନୂଆ ମୋଟର ଯାନ ସଂଶୋଧନ ଆଇନ। ଏହା ପରେ କଡ଼ାକଡ଼ି ହୋଇଥିଲା ହେଲମେଟ୍ ଚେକିଂ। ଏବେ ଆସନ୍ତୁ ନଜର ପକାଇବା ୨୦୧୮ ଓ ୨୦୧୯ର ଦୁର୍ଘଟଣା ସଂପର୍କିତ ତଥ୍ୟ ଉପରେ । ୨୦୧୮ ମସିହା ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୩ ହଜାର ୮୧୦ ଟି ଦୁର୍ଘଟଣା ହୋଇଥିଲା। ଏଥିରେ ୧ ହଜାର ୮ଶହ ୫୬ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୧୯ରେ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ସମୁଦାୟ ୨ ହଜାର ୫୬୩ଟି ଦୁର୍ଘଟଣା ହୋଇଥିଲା। ଏଥିରେ ୧ ହଜାର ୫୪୧ ଜଣଙ୍କର ଜୀବନ ଯାଇଥିଲା । ଅର୍ଥାତ ୨୦୧୮ ଅନୁସାରେ ୨୦୧୯ରେ ୨୪୭ଟି କମ୍ ଦୁର୍ଘଟଣା ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୧୫ଟି କମିଛି ।
ଗତ ଚାରିମାସ ମଧ୍ୟରେ ପରିବହନ ବିଭାଗ ଜରିମାନା ଆଦାୟ କରିଛି ପାଖାପାଖି ୩୯ କୋଟି ଟଙ୍କା। ସେହିପରି ସେପ୍ଟେମ୍ବର ୨୦୧୯ରୁ ଜାନୁଆରୀ ୨୦୨୦ ମଧ୍ୟରେ ୪ ଲକ୍ଷ ୧୩ ହଜାରରୁ ଅଧିକ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଏହା ଭିତରେ ୨ ଲକ୍ଷ ୮୭ ହଜାର ୯୩୨ ଜଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିସାରିଛି।ଏହା ଭିତରେ ଗାଡ଼ି କାଗଜପତ୍ର ପାଇଁ ଦୁଇ ଦୁଇଥର ମହଲତ ଦେଇଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ୧ ତାରିଖରୁ ପୁଣିଥରେ ନୂଆ ଟ୍ରାଫିକ ନିୟମକୁ କଡ଼ାକଡ଼ି କରାଯିବ ।