ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ: ଦୁଇ ଦୁଷ୍କର୍ମୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ ଜଗତସିଂହପୁର ପକୋସ କୋର୍ଟ

ଜଗତସିଂହପୁର (କେନ୍ୟୁଜ): ନାବାଳିକାକୁ ଗଣ ବଳାତ୍କାର ଓ ହତ୍ୟା ଅପରାଧୀଙ୍କୁ ଫାଶୀଦଣ୍ଡ। ଫାଶୀଦଣ୍ଡ ରାୟ ଦେଇଛନ୍ତି ଜଗତସିଂହପୁର ପୋକସୋ ଫାଷ୍ଟ ଟ୍ରାକ କୋର୍ଟ। ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତ ଶେଖ ଆସିଫ ଓ ଶେଖ ଅକିଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଭାରତୀୟ ଦଣ୍ଡବିଧି ଆଇନର ୩୦୨, ୩୭୬, ୩୭୬(ଡି) ଓ ପ୍ରୋଟେକସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନସସ ଧାରା ୬ ଅନୁସାରେ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅଦାଲତ।
ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁରରେ ୨୦୧୪ ମସିହାର ଘଟିଥିଲା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା। ୮ ବର୍ଷର ଜଣେ ନାବାଳିକା ଚକୋଲେଟ କିଣି ଘରକୁ ଫେରୁଥିବା ବେଳେ କିଛି ଦୁବୃତ୍ତ ତାଙ୍କୁ ଅପହରଣ କରି ନେଇଥିଲେ। ପରେ ବଳାତ୍କାର ସହ ହତ୍ୟା କରି ଦେଇଥିଲେ ଅପରାଧୀ। ଏକ ଘରର ତାଜା ଉପରେ ମୃତଦେହକୁ ଫିଙ୍ଗି ଦେଇଥିଲେ। ପୋଲିସ ସେତେବେଳେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ୪ଜଣଙ୍କୁ ଗିରଫ କରିଥିଲା। ମାମଲାର ବିଚାର କରି ଅଦାଲତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି । ସେ ସମୟରେ ତିର୍ତ୍ତୋଲ ଥାନା ଅଧିକାରୀ ଦୟାନିଧି ନାୟକ ଓ ବରିଷ୍ଠ ପୋଲିସ ଅଧିକାରୀ ଭବାନୀ ଶଙ୍କର ମିଶ୍ର ଅଭିଯୁକ୍ତମାନଙ୍କୁ ଧରିବାକୁ ବେଶ ତନାଘନା କରିଥିଲେ । ସରକାରଙ୍କ ପକ୍ଷରୁ ଏହି ମାମଲା ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକୁଟର ଦୋଳ ଗୋବିନ୍ଦ ଦାଶ ପରିଚାଳନା କରୁଥିଲେ ।