କୋରାପୁଟ ଦଶମନ୍ତପୁରରେ ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ, ବେଦୀରୁ ଉଦ୍ଧାର କଲା ନାବାଳିକାକୁ

କୋରାପୁଟ (କେ ନ୍ୟୁଜ୍‌) : ପ୍ରଶାସନର ବ୍ୟାପକ ସଚେତନତା ସତ୍ତ୍ୱେ ତଥାପି ଆଦିବାସୀ ବହୁଳ କୋରାପୁଟ ଅଞ୍ଚଳରେ ବାଲ୍ୟ ବିବାହ ପ୍ରଥା ଜାରି ରହିଛି । ଜିଲ୍ଲାର ଦଶମନ୍ତପୁର ବ୍ଲକରେ ଏକ ବାଲ୍ୟ ବିବାହ ଚାଲିଥିବାର ଖବର ପାଇ ଠିକଣା ସମୟରେ ପ୍ରଶାସନ ପହଞ୍ଚି ଏହାକୁ ବନ୍ଦ କରିଛି ।
ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଡୁମ୍ବାଗୁଡା ପଞ୍ଚାୟତ ହାତୀମୁଣ୍ଡା ଗାଁରେ ବାଲ୍ୟ ବିବାହ ଚାଲିଥିଲା । ସେହି ସମୟରେ ପୋଲିସ୍‌ ପହଞ୍ଚି ବେଦୀରୁ ନାବାଳିକାକୁ ଉଦ୍ଧାର କରିଛି ।

୧୫ ବର୍ଷର ଝିଅକୁ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ହାଡିଗୁଡା ଗୋଉଡ ସାହିର କର୍ଣ୍ଣ ଗୌଡଙ୍କ ସହ ବିବାହ ପାଇଁ ସବୁ ଆୟୋଜନ ସରିଯାଇଥିଲା । ଉଭୟ ପକ୍ଷର ବନ୍ଧୁ ପରିବାର ଉପସ୍ଥିତ ଥିଲେ । ଭୋଜି ଭାତ ପାଇଁ ରୋଷେଇ ସରିଥିଲା। ଅତିଥିମାନେ ବେଦୀରେ କନ୍ୟାକୁ ଆଶୀର୍ବାଦ ଦେଇ ବନ୍ଦାଣ କରୁଥିଲେ । ଠିକ୍ ଏହି ସମୟରେ ଦଶମନ୍ତପୁର ମହିଳା ଓ ଶିଶୁ ଅଧିକାର ବିଭାଗ ସଦସ୍ୟ, ୱ।ର୍ଡ ସ୍ବେଚ୍ଛାସେବୀ ସଂଗଠନ, ଅଙ୍ଗନୱାଡି କର୍ମୀ ଏବଂ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ବାହାଘରକୁ ରୋକିବା ସହିତ କନ୍ୟାର ବାପା, ମା’ଙ୍କୁ ବୁଝାଇ ଥିଲେ । ୧୮ ବର୍ଷ ପୂରିଲା ପରେ ଝିଅକୁ ବାହା କରିବା ପାଇଁ ସେମାନେ ପ୍ରଶାସନକୁ ଲିଖିତ ଭାବେ ଦେଇଥିଲେ । ଏହା ପରେ ବିବାହ ବନ୍ଦ ହୋଇଥିଲା ଏବଂ ବର ଘର ଖାଲି ହାତରେ ଫେରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.