୭ ଦିନ ପରେ ମାଓବାଦୀଙ୍କ କବ୍ଜାରୁ ମୁକ୍ତ ହେଲେ ଇଞ୍ଜିନିୟର, ଜଙ୍ଗଲରେ ପୁଅକୁ ଧରି ବୁଲୁଥିଲେ ସ୍ତ୍ରୀ

ମାଲକାନାଗିରି (କେନ୍ୟୁଜ) : ଡାକ ଶୁଣିଦେଲେ ଭଗବାନ୍‌। ଶେଷରେ ନିଜ ସିନ୍ଦୁରକୁ ଫେରାଇ ଆଣିବାରେ ହେଲେ ସକ୍ଷମ। ଦୀର୍ଘ ସାତ ଦିନ ପରେ ସ୍ୱାମୀଙ୍କୁ ଦେଖି ନିଜ କୋହ ସମ୍ଭାଳିପାରୁନଥିଲେ ସ୍ତ୍ରୀ। ସ୍ୱାମୀଙ୍କୁ ଜାବୁଡି ଧରି ଢ଼େର କାନ୍ଦିଲେ ଅପହୃତ ଇଞ୍ଜିନିୟରଙ୍କ ସ୍ତ୍ରୀ। ଶେଷରେ ମାଓ କବଳରୁ ମୁକ୍ତ ହେଲେ ଇଞ୍ଜିନିୟର ଅଜୟ ରୋସନ୍‌। କିଛି ଦିନ ତଳେ ଆପଣ ଗଣମାଧ୍ୟମରେ ଖବର ଦେଖିଥିବେ ଯେ ମାଓବାଦୀ ଅପହରଣ କରିନେଇଥିବା ସ୍ୱାମୀଙ୍କୁ ଖୋଜିବା ପାଇଁ କୋଳରେ ୩ ବର୍ଷର ପୁଅକୁ ଧରି ଜଙ୍ଗଲ ବୁଲିଥିଲେ ସ୍ତ୍ରୀ। ଅନ୍ଧାର ରାତି ଓ ଜୀବଜନ୍ତୁଙ୍କୁ ବି ଭୟ ନକରି ମାଓବାଦୀଙ୍କ ପାଖରେ ପହଁଚିବାକୁ ପଣ କରିନେଇଥିଲେ ଇଞ୍ଜିନିୟରଙ୍କ ସ୍ତ୍ରୀ। ଆଉ ନିଜ ସିନ୍ଦୁରକୁ ବଞ୍ଚାଇବା ପାଇଁ ନକ୍ସଲ ମାନଙ୍କୁ ନେହୁରା ହୋଇଥିଲେ।

ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ମନକେଲି ଅଂଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତାକାମ ଚାଲିଛି । ଏହାକୁ ବିରୋଧ କରୁଥିଲେ ମାଓବାଦୀମାନେ । କିନ୍ତୁ ମାଓବାଦୀଙ୍କ ଧମକୁ ଖାତିର ନକରି କାମ ଚାଲୁଥିଲା। ଏହି କାମରେ ନିୟୋଜିତ ଥିଲେ ଇଞ୍ଜିନିୟର ଅଜୟ ରୋଶନ । ରାସ୍ତାକାମ ଚାଲୁଥିବାର ଖବର ପାଇ ଗତ ୧୨ ତାରିଖରେ ହଠାତ ଘଟଣା ସ୍ଥଳରେ ସଶସ୍ତ୍ର ମାଓବାଦୀ ପହଞ୍ଚି ଅଜୟ ରୋଶନ ଓ ତାଙ୍କର ଜଣେ ସହଯୋଗୀ କର୍ମଚାରୀ ଲକ୍ଷ୍ମଣ ପତାଗିରିଙ୍କୁ ଅପହରଣ କରି ନେଇଗଲେ। ଏହି ଖବର ପାଇବ ପରେ ଧର୍ଯ୍ୟହରା ହୋଇଯାଇଥିଲେ ଅଜୟଙ୍କ ସ୍ତ୍ରୀ । ସ୍ବାମୀଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ମନସ୍ତ କରି ନିଜ କୋମଳମତି ଶିଶୁକୁ ଧରି ଘଞ୍ଚ ଜଙ୍ଗଲରେ ସ୍ବାମୀ ସନ୍ଧାନରେ ବାହାରିଯାଇଥିଲେ ଆଉ ମନରେ ଗୋଟିଏ ଲକ୍ଷ୍ୟ ଥିଲା ଲାଲଗଡରୁ ସ୍ୱାମୀଙ୍କୁ ସୁରକ୍ଷିତ ଫେରାଇ ଆଣିବା।

ମାଓବାଦୀ ସହଯୋଗୀ କର୍ମଚାରୀ ଲକ୍ଷ୍ମଣଙ୍କୁ ଛାଡି ଦେଇଥିଲେ କିନ୍ତୁ ନିଜ କବ୍ଜାକୁ ନେଇଯାଇଥିଲେ ଇଞ୍ଜିନିୟର ଅଜୟ ରୋସନଙ୍କୁ। ଆଜି ମାଓ କବ୍ଗାରୁ ମୁକ୍ତ ହେଲେ ଇଞ୍ଜିନିୟର ଅଜୟ ରୋସନ। ମାଓବାଦୀଙ୍କ ପ୍ରଜାକୋର୍ଟରେ ନିଷ୍ପତ୍ତି କ୍ରମେ ଶତାଧିକ ମାଓବାଦୀ ଏବଂ ମାଓ ସମର୍ଥକଙ୍କ ଆଗରେ ମୁକ୍ତ ହେଲେ ଯନ୍ତ୍ରୀ। ପତ୍ନୀ ଏବଂ ଗଣମାଧ୍ୟମ ପ୍ରତିନିଧି ସମ୍ନାରେ ମୁକ୍ତ କରିଛନ୍ତି ମାଓବାଦୀ। ଦୀର୍ଘ ୭ ଦିନ ଧରି ମାଓବାଦୀଙ୍କ ବନ୍ଦୀ ଭାବେ ରହିଥିଲେ ଯନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.