ଲାଠି ପରେ ଚକୋଲେଟ୍, ଲୋକଙ୍କୁ ଚକୋଲେଟ୍ ଦେଇ ନୂଆ ନିୟମ ସଂପର୍କରେ ସଚେତନ କରାଉଛି ପୋଲିସ
ଭୁବନେଶ୍ୱର(କେନ୍ୟୁଜ): ଲାଠି ପରେ ଚକୋଲେଟ୍ । ନୂଆ ଟ୍ରାଫିକ୍ ନିୟମ ପାଇଁ ଗତକାଲି ଭୁବନେଶ୍ୱର ରାଜମହଲ ଛକରେ ପୋଲିସ ଜନତା ଖଣ୍ଡଯୁଦ୍ଧ ହୋଇଥିଲା । ଆଉ ଆଜି ଲୋକଙ୍କୁ ଚକୋଲେଟ୍ ଦେଇ ନୂଆ ନିୟମ ସଂପର୍କରେ ସଚେତନ କରାଉଛି ପୋଲିସ । ଭୁବନେଶ୍ୱରର ଏଜି ଛକ ଓ କଳିଙ୍ଗ ହସ୍ପିଟାଲ ସ୍କୋୟାର ଛକରେ ପୋଲିସ ପକ୍ଷରୁ ଲୋକଙ୍କୁ ଚକୋଲେଟ୍ ଦେଇ ସଚେତନ କରାଯାଉଛି । ନିଜେ ଟ୍ରାଫିକ୍ ଡିସିପି ସାଗରିକା ନାଥ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଉଛନ୍ତି । ନୂଆ ନିୟମ କିପରି ପାଳନ କରିବେ, ନୂଆ ନିୟମରେ କେତେ ଫାଇନ ରହିଛି, ସେନେଇ ଲୋକଙ୍କୁ ବୁଝାଯାଉଛି ।
ଏବେ ୫ଟି ନିୟମକୁ କଡ଼ାକଡ଼ି ମାନିବାକୁ କୁହାଯାଇଛି । ମଦ ପିଇ ଗାଡ଼ି ଚଳାଇଲେ, ହେଲମେଟ୍ ପିନ୍ଧି ନଥିଲେ, ବାଇକରେ ତିନି ଜଣ ଯାଉଥିଲେ, ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା ଓ ରାସ୍ତାର ଭୁଲ୍ ଦିଗରେ ଗଲେ ଫାଇନ୍ ଦେବାକୁ ପଡ଼ିବ । ସେପଟେ ଆଜିଠୁ ୱେବସାଇଟ୍ରେ ଉପଲବ୍ଧ ହେବ ପୋଲିସ ଗାଡିର କାଗଜପତ୍ର । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।