ଆକ୍ଟିଭ୍  ଯୁବ ପ୍ରଶାସନିକ ଅଧିକାରୀ:  ୩ କିଲୋମିଟର ଚାଲି ଚାଲି ଦୁର୍ଗମ ଅଂଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ନନ୍ଦାହାଣ୍ଡି ବିଡ଼ିଓ 

ମାତ୍ର ୧୨ ଦିନ ହେବ ନନ୍ଦାହାଣ୍ଡି ବ୍ଲକରେ ବିଡିଓ ଭାବେ ଯୋଗଦେଇଛନ୍ତି କ୍ଷୀରୋଦ ଚନ୍ଦ୍ର ସାହୁ। ଦୁର୍ଗମ ଅଞ୍ଚଳରେ ୩ କିଲୋମିଟର ଚାଲି ଚାଲି ପାହାଡ଼ ଜଙ୍ଗଲକୁ ଅତିକ୍ରମ କରି ଲୋକଙ୍କ ଦୁଃଖ ବୁଝିବାକୁ ଯାଇଥିବାରୁ ବିଡିଓଙ୍କୁ ଏବେ ଚାରିଅଆଡୁ ପ୍ରଶଂସା ମିଳୁଛି।

ନବରଙ୍ଗପୁର(କେନ୍ୟୁଜ୍): ପ୍ରାୟ ୩ କିଲୋମିଟର ଚାଲି ଚାଲି ପାହାଡ଼ ଜଙ୍ଗଲକୁ ଅତିକ୍ରମ କରି ଦୁର୍ଗମ ଅଂଚଳକୁ ଗଲେ। ସେଠାରେ ଥିବା ଲୋକମାନଙ୍କୁ ସାକ୍ଷାତ କରି ସମସ୍ୟା ବୁଝିଲେ ଏବଂ ସେମାନଙ୍କ ସମସ୍ୟାର ସମାଧାନ ଖୁବ ଶୀଘ୍ର କରାଯିବ ବୋଲି ପ୍ରତିଶୃତି ମଧ୍ୟ ଦେଲେ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ । ଯେଉଁଠି ସ୍ଥାନୀୟ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ଚାଲି ଚାଲି ଦୁର୍ଗମ ଅଂଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝୁଥିବା ଭିଡିଓ  ବର୍ତ୍ତମାନ ଭାଇରଲ ହେଲା ପରେ ଘଟଣାଟି ଲୋକଲୋଚନକୁ ଆସିଛି।

ନବରଙ୍ଗପୁର ଜିଲ୍ଲାରେ ଏବେ ବି ଏମିତି କିଛି ଗାଁ ଅଛି ଯୋଉଠି ସରକାରୀ ଯୋଜନା ସାତ ସପନ । ବଣ ପାହାଡ ଘେରା ରାସ୍ତା ବିହୀନ ସେମିତି ଏକ ଗାଁ ରହିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଝାଡବନ୍ଧଗୁଡା ପଂଚାୟତର ପୁଟଘର। ପାହାଡ଼ର ପାଦ ଦେଶରେ ଉକ୍ତ ଗାଁଟି ରହିଥିବା ବେଳେ ଦଣ୍ଡସେନାଗୁଡା ଗ୍ରାମରୁ ଦୀର୍ଘ ୩  କିଲୋମିଟର ୨ଟି ପାହାଡ଼ ଓ ଜଙ୍ଗଲ ଡେଇଁ ଚାଲି ଚାଲି ଗଲେ ଉକ୍ତ ଗ୍ରାମ (ପୁଟଘର ) ଟି ଆସିଥାଏ।  ଗାଁରେ ମାତ୍ର ୭ଟି ଘର ରହିଥିବା ବେଳେ ପ୍ରାୟ ୨୦ ଜଣ ବସବାସ କରନ୍ତି ।  ଏହି ଗ୍ରାମଟି ସରକାରୀ ତାଲିକାରେ ଏକ ରାଜସ୍ୱ ଗ୍ରାମର ମାନ୍ୟତା ପାଇଛି। କିନ୍ତୁ, ଏବେ ବି ଆଦିମ ଅଧିବାସୀଙ୍କ ଭଳି ଜୀବନ ଯାପନ କରୁଛନ୍ତି ସେଠାକାର ଲୋକେ ।

ବଣ ଜଙ୍ଗଲ ଏବଂ ପାହାଡ ଉପରେ ଥିବାରୁ ହିଂସ୍ରଜନ୍ତୁଙ୍କ ଭୟ ଲାଗି ରହିବା ସ୍ୱାଭାବିକ । ବିଗତ ଦିନରେ ହିଂସ୍ରଜନ୍ତୁଙ୍କ ଆକ୍ରମଣରେ ଗ୍ରାମବାସୀ ଆହତ ହୋଇଥିବା ଏବଂ ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଥିବା ବି ଦେଖା ଦେଇଛି । ରାସ୍ତାଘାଟ ନଥିବାରୁ ଏବଂ ଦୁର୍ଗମ ଅଂଚଳ ହୋଇଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗୀକରଣ ହୋଇପାରୁନି । କିଛି ବର୍ଷ ତଳେ ସୋଲାର ଲାଇଟର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ମରାମତି ଅଭାବରୁ ଅଚଳ ହୋଇପଡିଛି । ପାହାଡ ଉପରେ ଥିବାରୁ ପାଣିର ଅସୁବିଧା ବି ଦେଖାଦେଉଛି । ପୂର୍ବରୁ ଅନେକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏସବୁ ସମସ୍ୟା ଜାଣିଥିଲେ ସୁଦ୍ଧା କେହି ସମାଧାନର ଚେଷ୍ଟା କରିବା ଦେଖା ଯାଇନଥିବା ବେଳେ ପ୍ରାୟ ୧୨ ଦିନ ତଳେ ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଏକଥା ଜାଣିବା ପରେ ସେମାନଙ୍କ ସମସ୍ୟା ବୁଝିବା ପାଇଁ ନିଜର ସହକର୍ମୀଙ୍କୁ ସହିତ ପ୍ରାୟ ୩  କିଲୋମିଟର ବାଟ ପାହାଡ ଚଢି ପୁଟଘର ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ଠାରୁ ବିଭିନ୍ନ ସମସ୍ୟା ବୁଝିଛନ୍ତି ।

ଅତିଶୀଘ୍ର ସୋଲାର ଲାଇଟ କୁ ପୁନଃ କାର୍ଯ୍ୟକ୍ଷମ କରିବା , ପାନୀୟଜଳ ସମସ୍ୟା ର ସମାଧାନ କରିବା, ପେନସନ ପାଉନଥିବା ହିତାଧିକାରୀ ଙ୍କୁ ପେନସନ ଯୋଗେଇବା ଏବଂ ଏମ.ଜି.ଏନ.ଆର.ଇ.ଜି.ଏ ଯୋଜନା ରେ ରାସ୍ତା ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇ ଅଗାମୀ ଦିନରେ ସରକାରଙ୍କ ଅନ୍ୟ ଯୋଜନା ସବୁ ପହଞ୍ଚେଇବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିବା ସୂଚନା ମିଳିଛି। ବର୍ତ୍ତମାନ ଏସବୁର ଭିଡିଓ ଓ ଫୋଟ ଭାଇରଲ ହେଲା ପରେ ଘଟଣାଟି ଲୋକ ଲୋଚନକୁ ଆସିଛି।

ଅନ୍ୟପଟେ ଏହି ଭଳି ଏକ ଦୁର୍ଗମ ଅପହଞ୍ଚ ଗ୍ରାମକୁ ଯାଇ ନିଜର କର୍ତବ୍ୟ ପରିଚାଳନା କରିଥିବାରୁ ବିଡ଼ିଓଙ୍କୁ ଚାରିଆଡୁ ବେଶ ପ୍ରଶଂସା କରାଯାଉଛି । ଲୋକଙ୍କ ସମସ୍ୟା ସମାଧାନ ଏବଂ ସରକାରୀ ଯୋଜନା ଲୋକଙ୍କ ପାଖକୁ ପହଞ୍ଚାଇ ଅଂଚଳର ବିକାଶ କରିବା ମୋର ପ୍ରଥମ କର୍ତବ୍ୟ।  ତେଣୁ ଏହିଭଳି ଏକ ଗ୍ରାମକୁ ଆସି ଲୋକଙ୍କ ସମସ୍ୟା ସମାଧାନ କରିବାର ସମ୍ପୂର୍ଣ ଚେଷ୍ଟା କରିବି ବୋଲି ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ନିଜ ପ୍ରତିକ୍ରିୟା ରେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.