ରାତି ଅଧରେ ରଣକ୍ଷେତ୍ର ପାଲଟିଲା ସହିଦନଗର ଥାନା, ପୋଲିସକୁ ଆକ୍ରମଣ ଓ ଭଙ୍ଗାରୁଜା

ଭୁବନେଶ୍ୱର : ରାତି ଅଧରେ ସହିଦନଗର ଥାନା ଭିତରେ ଲଙ୍କାକାଣ୍ଡ। ଆସବାବପତ୍ର ଓ କାଗଜପତ୍ର ଏଣେତେଣେ ଫିଙ୍ଗା ଫୋପଡ଼ା କରିବା ସହ କମ୍ପ୍ୟୁଟର ଭାଙ୍ଗିଥିଲେ। ଛାଡ଼ି ନଥିଲେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ। ମାଡ଼ ମାରି ଲହୁଲୁହାଣ କରିଥିଲେ କିଛି ଯୁବକ । ଅଧଘଣ୍ଟା କାଳ ଥାନା ଭିତରେ ଚାଲିଥିଲା ତୁମୁଳକାଣ୍ଡ । ଢ଼େଲା ପଥର ମାଡ଼ ବି ହୋଇଥିଲା।

ଅଭିଯୋଗ ହୋଇଛି, ଗାଡି ଦୁର୍ଘଟଣାକୁ ନେଇ ଭିଏସ୍‌ଏସ୍‌ ନଗରର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗୋଟିଏ ଗୋଷ୍ଠୀର ୪ଜଣଙ୍କୁ ଥାନାକୁ ଆଣିଥିଲା ପୋଲିସ । ଅଟକଙ୍କୁ ଆକ୍ରମଣ ପାଇଁ ଥାନାକୁ ଅନ୍ୟ ଗୋଷ୍ଠୀର ଲୋକ ଆସିଥିବା ବେଳେ ଅଟକାଇଥିଲା ପୋଲିସ । ଏତିକିବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଘଟଣା ପରଠୁ ଅଭିଯୁକ୍ତମାନେ ଫେରାର୍‌। ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ସହିଦନଗର ଥାନା ପୋଲିସ ।

ଚର୍ଚ୍ଚା ହେଉଛି, ପୋଲିସକୁ ମାଡ଼ ମାରିଥିବା ଯୁବକମାନେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସଦସ୍ୟ । ଏହି କାରଣ ପାଇଁ ସେମାନଙ୍କୁ ପୋଲିସ ଗିରଫ କରିବ ନା ଚାପରେ ଚୁପ୍‌ ବସିବ? ସେପଟେ ଯେଉଁଠି ଥାନା ଭିତରେ ପୋଲିସକୁ ଆକ୍ରମଣ ହେଉଛି, ସେଠାରେ ସହରବାସୀଙ୍କ ସୁରକ୍ଷାକୁ ନେଇ ବି ଉଠିଛି ପ୍ରଶ୍ନବାଚୀ।