Below header

ଝଡର ଇଗଲ, ସ୍ୱପ୍ନର ସୌଦାଗର ! ଆସନ୍ତାକାଲି ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜନ୍ମ ଦିବସ

ଝଡର ଇଗଲ। ସ୍ୱପ୍ନର ସୌଦାଗର। ନବ ଓଡ଼ିଶା ଗଠନର ମୁଖ୍ୟ ପୁରୋଧା । ବିଜୁ ପଟ୍ଟନାୟକଙ୍କୁ ନେଇ ଏମିତି କେତେ କଣ ଅଳଙ୍କାର ରହିଛି। ରାଜନୀତିରେ ଯେତିକି ଲୋକପ୍ରିୟ, ସେତିକି ପରିଚିତ ନିଜର ଦୁଃସାହସିକ କାର୍ଯ୍ୟକୁ ନେଇ। ୧୯୩୦ରେ ବିମାନ ଚାଳନା ଶିଖିବା ପରେ ରୟାଲ ଏୟାର ଫୋର୍ସରେ ଯୋଗ ଦେଇଥିଲେ ବିଜୁବାବୁ । ପରେ ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଲେ। ୧୯୪୨ରୁ ୧୯୪୬ ଯାଏ ଜେଲ ଯାଇଥିଲେ । ଭାରତର ସ୍ୱାଧିନତା ପରେ ପୁଣି ବିମାନ ସେବାରେ ଯୋଗ ଦେଇଥିଲେ ବିଜୁବାବୁ । ପ୍ରତିଷ୍ଠା କରିଥିଲେ କଳିଙ୍ଗ ଏୟାର ଲାଇନ୍ସ। ପରେ କଳିଙ୍ଗ ଏୟାର ଲାଇନ୍ସ ଭାରତୀୟ ଏୟାର ଲାଇନ୍ସ ଏକ ଅଂଶ ଭାବେ କାମ କଲା ।

ପାଇଲଟ ଭାବେ ତାଙ୍କ ଦୁଃସାହାସିକତାର ପ୍ରମାଣ ଦେଖିଛି ସାରା ବିଶ୍ୱ । ୧୯୪୭ରେ ପ୍ରିତକୂଳ ପରିସ୍ଥିତି ଦେଇ କାଶ୍ମୀରକୁ ଭାରତୀୟ ସେନା ପହଞ୍ଚାଇ ଭାରତୀୟଙ୍କ ହୃଦୟ ଜିତିଥିଲେ ବିଜୁ । ସେହିପରି ପଣ୍ଡିତ ଜବାହରଲାଲ ନେହରୁଙ୍କ କଥାରେ ଇଣ୍ଡୋନେସିଆର ନିଆଁକୁ ଡେଇଁଥିଲେ। ୨୨ ଜୁଲାଇ ୧୯୪୮। ଇଣ୍ଡୋନେସିଆରେ ଚାଲିଥିଲା ଡଚ୍‌ ଶାସନ। ସେଠାରୁ ଦୁଇ ମୁକ୍ତି ସଂଗ୍ରାମୀଙ୍କୁ ଡଚ୍‌ ସରକାରଙ୍କ କାରାଗରରୁ ଉଦ୍ଧାର କରି ସାରା ବିଶ୍ୱକୁ ଚକିତ କରିଥିଲେ । ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ସମ୍ମାନିତ ହୋଇଥିଲେ ସେ । କେବଳ ସେତିକି ନୁହେଁ, ଓଡ଼ିଶାକୁ ଶିଳ୍ପ କ୍ଷେତ୍ରକୁ ସମୃଦ୍ଧ କରିବାରେ ସେ ଥିଲେ ପ୍ରମୁଖ ଶିଳ୍ପୀ।

ଚୌଦ୍ୱାରର ଲୁଗା କଳ, ପାରାଦୀପ ବନ୍ଦର, ସୁନାବେଡା ଏଚ୍‌ଏଏଲ କାରଖାନା ସମେତ ରାଜ୍ୟର ବିଜ୍ଞାନ ଶିକ୍ଷା ଓ ଗବେଷଣାକୁ ତାଙ୍କର ଅବଦାନ ଅତୁଳନୀୟ। ଜଣେ ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା ଓ ଚିନ୍ତାନାୟକ ଭାବେ ତାଙ୍କର ସୁଖ୍ୟାତିକୁ ସାରା ଦେଶ ସବୁ ଦିନ ପାଇଁ ମନେ ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.