ସବୁ ମେଡିକାଲ ନୂଆ କ୍ୟାନସର ରୋଗୀଙ୍କ ତଥ୍ୟ ସରକାରଙ୍କୁ ଦେବା ବାଧ୍ୟତାମୂଳକ

କେନ୍ୟୁଜ୍(ବ୍ୟୁରୋ): ଏଣିକି କ୍ୟାନସର ହେଲେ ସରକାରଙ୍କୁ ଜଣାଇବେ । ସବୁ ମେଡିକାଲ ନୂଆ କ୍ୟାନସର ରୋଗୀଙ୍କ ତଥ୍ୟ ସରକାରଙ୍କୁ ଦେବେ । କ୍ୟାନସର ରୋଗ ଚିହ୍ନଟ ପରେ ଜଣାଇବା ବାଧ୍ୟତାମୂଳକ । ଆଜିଠାରୁ କ୍ୟାନସରକୁ ରିପୋର୍ଟେବୁଲ୍‌ ଡିଜିଜ୍‌ ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା କେଉଁ କ୍ୟାନସର ରୋଗ ଅଧିକ ହେଉଛି ଜାଣିହେବ । ରାଜ୍ୟର କେଉଁ ଅଞ୍ଚଳରେ କର୍କଟ ରୋଗୀଙ୍କ ସଂଖ୍ୟା କେତେ ତାହା ମଧ୍ୟ ଜଣାପଡ଼ିବ । କ୍ୟାନସରର ଶୀଘ୍ର ଚିହ୍ନଟ ଓ ଚିକିତ୍ସା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ କହିଛନ୍ତି ରାଜ୍ୟ ସରକାର । ରାଜ୍ୟର ସବୁ ସରକାରୀ ଓ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ପାଥୋଲୋଜି, କ୍ଲିନିକାଲ ଓ ରେଡିଓଲୋଜିକାଲ୍‌ ଲାବ୍‌କୁ କ୍ୟାନସର ସମ୍ପର୍କିତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି ।

କ୍ୟାନସର ସନ୍ଦେହ ହେଲେ ରୋଗୀଙ୍କର ପାଥୋଲୋଜି ଟେଷ୍ଟ କରି ପ୍ରଥମେ ସ୍ପଷ୍ଟ କରିବେ । ପାଥୋଲୋଜିଷ୍ଟ କର୍କଟ ରୋଗକୁ ସ୍ପଷ୍ଟ କରିବା ପରେ ନିର୍ଦ୍ଦିଷ୍ଟ ଫର୍ମାଟରେ ସମସ୍ତ ତଥ୍ୟ ଏକ ରେଜିଷ୍ଟରରେ ରଖିବେ । ପରେ ରାଜ୍ୟ ସରକାରଙ୍କ ପାଖକୁ ପଠାଇବେ ତଥ୍ୟ । ରୋଗ ଚିହ୍ନଟର ଦୁଇ ସପ୍ତାହ ଭିତରେ ଏସବୁ ପ୍ରକ୍ରିୟା ସାରିବାକୁ କୁହାଯାଇଛି । ଏହାଦ୍ୱାରା କ୍ୟାନସର ନିରାକରଣ, ମୁକାବିଲା, ଚିକିତ୍ସା ସୁବିଧା ଓ ଗବେଷଣା ସମ୍ପର୍କିତ ନୀତି ପ୍ରସ୍ତୁତିରେ ସରକାରଙ୍କୁ ସହାୟକ ହେବ । ଦେଶରେ କ୍ୟାନସର ନିରାକରଣ, ନିୟନ୍ତ୍ରଣ ଓ ଗବେଷଣା କାର୍ଯ୍ୟକ୍ରମ ପାଇଁ କ୍ୟାନସର ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟତାମୂଳକ କରିବା ପାଇଁ ICMR ସୁପାରିଶ କରିଥିଲା । ଏହାପରେ କ୍ୟାନସରକୁ ରିପୋର୍ଟେବୁଲ ଡିଜିଜ୍‌ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.