ଉପାନ୍ତ ଅଞ୍ଚଳର ପିଲାଙ୍କ ପାଖରେ ପହଞ୍ଚିପାରୁନି ଅନ୍ଲାଇନ୍ ଶିକ୍ଷା, ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର(କେନ୍ଯୁଜ୍):ଚଳିତ ବର୍ଷ ବି ବିନା ଶିକ୍ଷାଦାନରେ ଚାଲିଯିବ କି? ରାଜ୍ୟରେ ଅଧାରୁ ଅଧିକ ଛାତ୍ରଛାତ୍ରୀ ଅନ୍ଲାଇନ୍ ଶିକ୍ଷା ପାଉନାହାଁନ୍ତି। ଉପାନ୍ତ ଅଞ୍ଚଳର ପିଲାଙ୍କ ପାଖରେ ଅନ୍ଲାଇନ୍ ଶିକ୍ଷା ପହଞ୍ଚିପାରୁନି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ବସିବ। ବୈଠକରେ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀ ଓ ଅତିରିକ୍ତ ଶିକ୍ଷା ଅଧିକାରୀମାନେ ଯୋଗଦେବେ।
ଏଥିସହ ସ୍କୁଲ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗଦେବେ। ତେବେ କରୋନାର ତୃତୀୟ ଲହର ପାଇଁ ବନ୍ଦ ଥିବା ବିଦ୍ୟାଳୟ ଓ ପିଲାଙ୍କୁ ଅନଲାଇନ୍ ଶିକ୍ଷା ଯୋଗାଇବା ଉପରେ ବୈଠକରେ ଆଲୋଚନା ହେବ। ତୃତୀୟ ଲହର ଯଦି ଅଧିକ ଦିନ ପର୍ଯ୍ୟନ୍ତ ରହିବ, ସ୍କୁଲ ଏବେ ଖୋଲିବ ନାହିଁ। ଗତ ଦୁଇ ବର୍ଷ ହେବ କରୋନା ମାହାମାରୀ ପାଇଁ ଶିକ୍ଷା ବ୍ୟବସ୍ଥା ପୁରା ଓଲଟପାଲଟ ହୋଇଯାଇଛି।