Below header

ସୁଶାନ୍ତଙ୍କ ମୃତ୍ୟୁ ପରେ ମୁରବି ଶୂନ୍ୟ ହୋଇଗଲା ଘର, ପରିବାରକୁ କିଏ ବା କେମିତି ବୁଝାଇବ ?

ବୀର ଯବାନ୍‌ଙ୍କ ମରଶରୀରକୁ ତ୍ରିରଙ୍ଗାରେ ସଜାଇ ଶେଷ ଶ୍ରଦ୍ଧାଞ୍ଜଳି ଦେଉଥିଲେ ସମସ୍ତେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ୪ ନମ୍ବର ଓ୍ଵାର୍ଡ଼ରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତଙ୍କ ପାର୍ଥିବ ଶରୀର । ପରିବାରର ଶେଷ ପୁରୁଷଟି ବି ଚାଲିଗଲା ଆରପାରିକୁ ।

ଆନନ୍ଦପୁର(କେନ୍ୟୁଜ୍): ଆନନ୍ଦପୁର ଅଞ୍ଚଳ ଆଜି ପାଲଟିଥିଲା ଜନ ସମୁଦ୍ର । ସହିଦ ଯବାନ ଅମର ରହେ, ସହିଦ ସୁଶାନ୍ତ ଅମର ରହେ ଧ୍ୱନିରେ କମ୍ପୁଥିଲା ଗଗନ ପବନ । ଚାଲିଥିଲା ଲମ୍ବା ଶୋଭାଯାତ୍ରା । ବୀର ଯବାନ୍‌ଙ୍କ ମରଶରୀରକୁ ତ୍ରିରଙ୍ଗାରେ ସଜାଇ ଶେଷ ଶ୍ରଦ୍ଧାଞ୍ଜଳି ଦେଉଥିଲେ ସମସ୍ତେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌର ପରିଷଦର ୪ ନମ୍ବର ଓ୍ଵାର୍ଡ଼ରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତଙ୍କ ପାର୍ଥିବ ଶରୀର । ପରିବାରର ଶେଷ ପୁରୁଷଟି ବି ଚାଲିଗଲା ଆରପାରିକୁ । ଅଭାଗୀ ମା ଆଉ ଦୁଇ ମାସ ତଳେ ବାହା ହୋଇଥିବା ପତ୍ନୀ ରଡ଼ି ପକାଇ କାନ୍ଦୁଥାନ୍ତି । ଦୁଃଖ ଏମିତି ଅଚାନକ ଆସିଛି ଯେ ପତ୍ନୀ ପ୍ରତି କ୍ଷଣରେ ଚେତା ହରାଉଛନ୍ତି । ସାଇ ପଡ଼ିଶା ଆଉ ସମ୍ପର୍କୀୟ ଯେତେ ବୁଝାଇଲେ ବି କେମିତି ବା ବୁଝିବେ ଜନ୍ମ କରିଥିବା ମା ଆଉ ହାତ ଧରି ଜୀବନ ସାଥୀ କରିଥିବା ପତ୍ନୀ । ସାରା ଗାଁ ଦୁଃଖରେ ଭାଙ୍ଗି ପଡ଼ିଛି ସୁଶାନ୍ତଙ୍କ ପାଇଁ । ଯିଏ ଝାଡ଼ଖଣ୍ଡରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଛନ୍ତି । ଦେଶ ପାଇଁ ଜୀବନ ଦେଇଛନ୍ତି । ସେଥିପାଇଁ ଗର୍ବିତ ସମସ୍ତେ । ହେଲେ ତିନି ବର୍ଷ ଭିତରେ ତିନି ତିନି ଜଣଙ୍କୁ ହରାଇଥିବା ଏଇ ପରିବାରକୁ କିଏ ବା କେମିତି ବୁଝାଇବ ?

ଝାଡଖଣ୍ଡ ଟେଣ୍ଟୋ ଥାନା ଅନ୍ତର୍ଗତ ହୁସିପି ଗାଁ ନିକଟ ଜଙ୍ଗଲରେ କମ୍ବିଙ୍ଗ ଅପରେସନ ଚାଲିଥିଲା । ନକ୍ସଲଙ୍କ ଅତର୍କିତ ଆକ୍ରମଣରେ ଦୁଇଜଣ ଯବନ ଗୁରୁତର ଆହତ ହୋଇଥିବାର ଖବର ଆସିଲା । ଆଉ ତାପରେ ଜଣାପଡ଼ିଲା ଆନନ୍ଦପୁରର ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଛନ୍ତି । ଆତୁଳ ଖୁଣ୍ଟିଆଙ୍କ ସାନପୁଅ ସୁଶାନ୍ତ । ୨୦୨୦ ମସିହାରେ ଘରର ମୁରବୀ ଆତୁଳଙ୍କର ମୃତ୍ୟୁ ହୋଇଥିଲା । ପୁଣି ପରେ ପରେ ଚଳିତ ବର୍ଷ ପ୍ରଥମେ ମଝିଆଁ ପୁଅ ପ୍ରଶାନ୍ତଙ୍କର କର୍କଟ ଜନିତ ରୋଗରେ ଦେହାନ୍ତ ହେଲା । ଆଉ ତାର କିଛି ଦିନ ପରେ ବଡ଼ପୁଅ ସନ୍ତୋଷ ଖୁଣ୍ଟିଆଙ୍କର ମଧ୍ୟ ଆକସ୍ମିକ ମୃତ୍ୟୁ ହୋଇଥିଲା । ଏବେ ସାନପୁଅ ସୁଶାନ୍ତ ବି ଛାଡ଼ି ଚାଲିଗଲା ସବୁଦିନ ପାଇଁ । ଗତ ଜୁନ ମାସ ୨ ତାରିଖ ଦିନ ଘସିପୁରାର ପୂର୍ଣ୍ଣିମାଙ୍କ ସହିତ ସୁଶାନ୍ତଙ୍କର ବାହାଘର ହୋଇଥିଲା । ହାତରୁ ମେହେନ୍ଦିର ରଙ୍ଗ ନଲିଭୁଣୁ ପୂର୍ଣ୍ଣିମାଙ୍କ ହାତର ଶଙ୍ଖା ତୁଟି ଯାଇଛି ।

ସୁଶାନ୍ତଙ୍କ ମୃତ୍ୟୁ ପରେ ମୁରବି ଶୂନ୍ୟ ହୋଇଯାଇଛି ଘର । ଗାଁରେ crpf ବାଟାଲିଅନ ପହଞ୍ଚି ସସମ୍ମାନେ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି ସତ ହେଲେ ସୁଶାନ୍ତଙ୍କୁ ଝୁରୁଛି ଗାଁ, ସାଙ୍ଗ ସାଥି ଓ ସର୍ବସ୍ବ ହରାଇଥିବା ପରିବାର। ଫେରିବା ବାଟକୁ ଅନାଇ ବସିଥିବା ନବ ବଧୂ ପୂର୍ଣ୍ଣିମାଙ୍କ ସ୍ବପ୍ନ ସ୍ବପ୍ନ ରେ ରହିଯାଇଥିବା ବେଳେ ପୁଅର ମୃତ୍ୟୁ ଖବର ଶୁଣି ରୋଗ ଶଯ୍ୟାରୁ ଉଠି ଦୌଡ଼ି ଆସିଛି ଜନ୍ମକରା ମା।  ଆଜି ସକାଳୁ ତାଙ୍କ ମରଶରୀର ଆନନ୍ଦପୁର ରେ ପହଞ୍ଚିବା ପରେ ହଜାର ହଜାର ସ୍ଥାନୀୟ ବାସିନ୍ଦା ସ୍କୁଲ କଲେଜ ଛାତ୍ରଛାତ୍ରୀ, ଘସିପୁରା ବିଧାୟକ, ଆନନ୍ଦପୁର ବିଧାୟକ, ଆନନ୍ଦପୁର ପ୍ରଶାସନ ଓ crpfର ଆଇଜିଙ୍କ ସମେତ ପୋଲିସ ବାହିନୀ ଗାର୍ଡ ଅଫ ଅନର ସହିତ ତୋପ ସାଲାମୀ ଦେଇ ସହିଦ ସୁଶାନ୍ତଙ୍କୁ ବିଦାୟ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.