ପୁଣି କୋଟିଆରେ ପଶିଲେ ଆନ୍ଧ୍ର ଅଧିକାରୀ, ବିଭିନ୍ନ ଗାଁ ଲୋକଙ୍କ ସହ କଲେ ଆଲୋଚନା

କୋରାପୁଟ (କେନ୍ୟୁଜ୍‌) : କିଛି ମାସ ଚୁପ ରହିଲା ପରେ ପୁଣି ବଦମାସୀ ଆରମ୍ଭ କରିଛି ଆନ୍ଧ୍ର । ଆନ୍ଧ୍ର ଅଧିକାରୀମାନେ ପୁଣିଥରେ କୋଟିଆରେ ପ୍ରବେଶ କରି ବୈଠକ କରିଛନ୍ତି। ନେରେଡି ଓ୍ଵାଲସା ଠାରେ ବୈଠକ କରି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ଆନ୍ଧ୍ରର ଉନ୍ନୟନ ମୁଳକ କାର୍ଯ୍ଯ କଣ କରାଯିବ ସେଥିନେଇ ଲୋକଙ୍କ ମତ ଲୋଡିଥିବା ଜଣାପଡ଼ିଛି । ଏପଟେ ସ୍ଥାନୀୟ ଲୋକେ ଅନେକ ଦାବି ରଖିଛନ୍ତି ଅଧିକାରୀମାନଙ୍କ ଆଗରେ । ହାତକୁ କାମ ଯୋଗାଇବା, ଯୋଗ୍ଯ ବ୍ଯକ୍ତିଙ୍କୁ ପେନସନ ପ୍ରଦାନ, ରାସ୍ତା ନିର୍ମାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ଯବସ୍ଥା ଯୋଗାଇ ଦେବା ସହ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଆନ୍ଧ୍ର ଅଧିକାରୀଙ୍କ ନିକଟରେ ଲୋକେ ଦାବି ଜଣାଇଛନ୍ତି।

ନେରେଡିୱ୍ଵାଲସା ସହ ଉପରସେମ୍ବି, ତଳ ସେମ୍ବୀ, ଗଂଜେଇ ପଦର, ମାଡକର ଆଦି ଗାଁ ଲୋକଙ୍କ ସହ ସେମାନେ ଆଲୋଚନା କରିଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବିଭିନ୍ନ ଯୋଜନାର ସୁଫଳ ମିଳୁଛି କି ନାହିଁ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ। କୋଟିଆ ଅଂଚଳରେ ଏକ ମାସ ଭିତରେ ହିତାଧିକାରୀ ଚିହ୍ନଟ କରି ୪୦୦ ଲୋକଙ୍କୁ ଆରଓଏଫ୍‌ଆର ଜମି ପଟ୍ଟା ବଣ୍ଟନ କରାଯିବ। ଆହୁରି ମଧ୍ୟ ଅଙ୍ଗନୱ୍ଵାଡି କେନ୍ଦ୍ର,ସ୍କୁଲ ଖୋଲିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଆନ୍ଧ୍ର ଅଧିକାରୀ।

ପାର୍ବତୀ ପୁରମ ପିଏଆଇଟିଡିଏ କୁର୍ମନାଥଙ୍କ ନେତୃତ୍ୱରେ ସାଲୁର ମଣ୍ଡଳର ବିଭିନ୍ନ ପ୍ରକଳ୍ପ ଅଧିକାରୀ ଏଥିରେ ଯୋଗ ଦେଇଥିଲେ। ଉପର ସେମ୍ଭି ଗ୍ରାମରେ ଥିବା ଚର୍ଚ୍ଚରେ ବୈଠକ ବସିଥିଲା । କୋଟିଆରେ ଥିବା ଆନ୍ଧ୍ରର ଏଜେଣ୍ଟ ତଥା ପୂର୍ବତନ ଏମ୍‌ପିଟିସି ସଭ୍ୟ ସିଦରାପୁ ବିଶୁ ଗେମଲଙ୍କ ସହଯୋଗରେ ଆନ୍ଧ୍ର ଅଧିକାରୀମାନେ କୋଟିଆ ପଞ୍ଚାୟତର ଏ ସମସ୍ତ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ। ଅନ୍ଯ ଅଧିକାରୀମାନଙ୍କ ମଧ୍ୟରେ ସାଲୁର ମଣ୍ଡଳର ବିଡିଓ, ପୋଲିସ ଅଧିକାରୀଙ୍କ ସମେତ ସମସ୍ତ ଲାଇନ ବିଭାଗ ଅଧିକାରୀମାନେ ଆସିଥିଲେ। ଓ୍ଵାଇଏସ୍‌ଆର କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀନିବାସ ସମେତ କୋଟିଆ ସରପଞ୍ଚ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ଆନ୍ଧ୍ରର କେଉଁ ଅଧିକାରୀମାନେ କୋଟିଆକୁ ଆସି କଣ କଥା ହେଉଛନ୍ତି ତାକୁ ଗୁରୁତ୍ୱ ଦେଉନାହିଁ କୋରାପୁଟ ଜିଲ୍ଲା ପ୍ରଶାସନ। ଓଡିଶା ରାଜ୍ଯ ସରକାରଙ୍କ ଦ୍ଵାରା ନିର୍ମାଣାଧୀନ ପ୍ରକଳ୍ପଗୁଡିକୁ ତୁରନ୍ତ ସାରି ଶୀଘ୍ର କାର୍ଯ୍ଯକ୍ଷମ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.