କରୋନା ଦେଲା ଏମିତି କଷଣ: କାଲିର ସଫ୍ଟୱେର ଇଂଜିନିୟର ଏବେ ଗାଇଚରାଳି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏକ ଶିଳ୍ପ ବହୁଳ ଜିଲ୍ଲା। ଜିଲ୍ଲାରେ ରହିଛି ବଡ଼ ବଡ଼ ରାଷ୍ଟ୍ରାୟତ ଉଦ୍ୟୋଗ, କିନ୍ତୁ ମେଧାବୀ ଛାତ୍ରଙ୍କୁ ଏଠି ନିଯୁକ୍ତି ନାହିଁ ଯାହାଫଳରେ ମେଧାବୀ ଛାତ୍ର ଓ ସଫ୍ଟୱେର ଇଂଜିନିୟର ଏବେ ଗାଇଚରାଳି ଓ ଦିନ ମଜୁରିଆ। ଆମେ କହୁଛୁ ଜିଲ୍ଲାର ସାତକୋଶିଆ ଅଭୟାରଣ୍ଯର ବେହେରା ସାହିର ଶଶାଙ୍କ ଶେଖର ଦେହୁରୀଙ୍କ କଥା। ଉଚ୍ଚଶିକ୍ଷିତ ହୋଇ ଚାକରି ଅଭାବରୁ ଗାଁରେ, ମୁଣ୍ଡରେ ଝାମ୍ପି ହାତରେ ବାଡ଼ି ଧରି ଗାଈ ଚରାଉଛନ୍ତି ସଫ୍ଟୱେର ଇଂଜିନିୟର। ଶଶାଙ୍କଙ୍କ ଜୀବନ ଶୈଳୀକୁ ସମ୍ପୂର୍ଣ ଭାବେ ପରିବର୍ତ୍ତନ କରିଦେଇଛି କରୋନା କଟକଣା।

ଜଣେ ମେଧାବୀ ଛାତ୍ର ଭାବେ ଏକଦା ଅନୁଗୋଳ ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ଶଶାଙ୍କ ଏବେ ଗାଇଆଳ ଓ ଦିନ ମଜୁରିଆ। ଦିନ ଥିଲା ଜଣେ ସଫ୍ଟୱେର ଇଂଜିନିୟର ଭାବେ  ମାସିକ ୪୦ ହଜାର ଟଙ୍କା ଦରମା ପାଉଥିଲେ। ସବୁକିଛି ଓଲଟପାଲଟ କରିଦେଇଛି କରୋନା। ନିଯୁକ୍ତି ମିଳୁନଥିବାରୁ ଗାଇ ଚରାଇ ଓ ମୂଲ ଲାଗି ସେ ଏବେ ପେଟ ପୋଷୁଛନ୍ତି।

officeଶଶାଙ୍କ ମୁଣ୍ଡରେ ତାଳବେଡାର ଝାମ୍ପି ପିନ୍ଧି ହାତରେ ବାଡି ଧରି ଓ ଧୋତି ପିନ୍ଧି ସାତକୋଶିଆ ଜଙ୍ଗଲ ଭିତରେ ଗାଈ ଚରାଇବା ସହ ସରକାରୀ MNERGS ର ଦିନ ମଜୁରିଆ ହିସାବରେ କାମ କରି ଦୈନିକ ୨୦୭ ଟଙ୍କା ରୋଜଗାର କରୁଛନ୍ତି। ଶଶାଙ୍କଙ୍କ ବୟସ ୪୩ବର୍ଷ । ପିଲାଦିନରୁ ସେ ଥିଲେ ଜଣେ ମେଧାବୀ ଛାତ୍ର । ଗାଁ ଠାରୁ ଦୂରରେ ରହି ପାଠ ପଢିଥିଲେ। ୧୯୮୯ ମସିହାରେ ନବୋଦୟ ବିଦ୍ୟାଳୟରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅଭିଭକ୍ତ ଢେଙ୍କାନାଳ ଜିଲ୍ଲାରେ ସେ ଟପ୍ପର ମଧ୍ଯ ହୋଇଥିଲେ। ଏହାପରେ ୧୯୯୬ ରୁ ୧୯୯୯ ପର୍ଯ୍ଯନ୍ତ ସେ ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ପଦାର୍ଥ ବିଜ୍ଞାନରେ ସମ୍ମାନ ସହ ସ୍ନାତକ ଶ୍ରେଣୀରେ ପଢିଥିଲେ। ଭଲ ନମ୍ବର ରଖି ଉତ୍ତୀର୍ଣ ହୋଇଥିଲେ।୨୦୦୨ ରୁ ୨୦୦୫ ପର୍ଯ୍ଯନ୍ତ ସେ ଭୁବନେଶ୍ୱର ଏକ ପ୍ରତିଷ୍ଠିତଇଂଜିନିୟରିଂ କଲେଜ ରେ MCA ପଢିଥିଲେ।

ଏହାପରେ ବାଙ୍ଗାଲୋରରେ ଆସେନଚର ରେ ଇଂଜିନିୟର ଭାବେ କାର୍ଯ୍ଯପରେ, ୨୦୧୧ ରୁ ୨୦୧୬ ମସିହା ପର୍ଯ୍ଯନ୍ତ ବାଙ୍ଗାଲୋରରେ “ଆଇଗେଟ କମ୍ପାନୀ” ରେ ସଫ୍ଟୱେର ଇଂଜିନିୟର ଭାବରେ କାମ କରୁଥିଲେ। ବ୍ଯକ୍ତିଗତ କାରଣ ଯୋଗୁଁ ସେ ଓଡିଶା ଫେରିଆସିଥିଲେ ।ଏହାପରେ ଭୁବନେଶ୍ୱରରେ କୌଣସି ଏକ ଘରୋଇ କମ୍ପାନୀରେ ସିକ୍ଯୁରିଟି ଗାର୍ଡ ଭାବେ କିଛି ଦିନ ଚାକିରୀ କରିବା ପରେ କରୋନା ପାଇଁ ସାରା ଦେଶ ଲକଡାଉନ ହେଲା ତେଣୁ ଗତ ମାର୍ଚ୍ଚ ମାସରେ ନିଜ ଗ୍ରାମକୁ ଫେରିଆସିଥିଲେ। ପୂର୍ବରୁ ତାଙ୍କ ପରିବାର ସହ ସାମାନ୍ଯ ମନ ମାଳିନ୍ଯ ଥିଲା। ତେଣୁ ସେ ଘରକୁ ନଫେରି ଏହି ପଂଚାୟତ ମଝିପଡା ଗ୍ରାମରେ ବନ ସୁରକ୍ଷା ସମିତି ଘରେ ରହୁଛନ୍ତି ।

cowମଝିପଡା ଗ୍ରାମବାସୀଙ୍କର ଗୋରୁ ଚରାଇବା ସହ ବନବିଭାଗ ପକ୍ଷରୁ ମନରେଗା ଯୋଜନାରେ ହେଉଥିବା କାର୍ଯ୍ଯରେ ଶ୍ରମିକ ରୂପେ କାର୍ଯ୍ଯକରି ଦୈନିକ ୨୦୭ ଟଙ୍କା ମଜୁରୀ ପାଉଛନ୍ତି। ଏବେ ମଧ୍ୟ ଚାକିରୀ ପାଇଁ ସେ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ଚାକିରୀ ମିଳିନାହିଁ। ଏପର୍ଯ୍ଯନ୍ତ ଶଶାଙ୍କ ବିବାହ କରିନାହାନ୍ତି। ତେବେ ଘରେ ବସିନରହି ସେ ଏହି ସବୁ କାର୍ଯ୍ଯ କରି ପେଟ ପୋଷୁଛନ୍ତି। ଉଚ୍ଚ ଶିକ୍ଷିତ ହୋଇ ଚାକରି ନପାଇ ଏଭଳି କାମ କରିବା ଘଟଣା ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଓ ଛାତ୍ରଙ୍କୁ ବେଶ୍ ପ୍ରଭାବିତ କରିଛି।

ଅନୁଗୁଳରୁ ମାନସ ରଞ୍ଜନ ମିଶ୍ର, କେନ୍ଯୁଜ୍