ପୋଲିସର କାର୍ଯ୍ୟଧାରାକୁ ବିରୋଧ କରି ଧର୍ମଶାଳା ଥାନା ଘେରାଉ କଲା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ

ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି ଧର୍ମଶାଳା ବଜାର ପରିକ୍ରମା କରି ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ସହ ପ୍ରତିବାଦ କରିଛନ୍ତି।

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଘେରାଉ କଲା ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ। ଧର୍ମଶାଳା ପୋଲିସର କାର୍ଯ୍ୟଧାରାକୁ ବିରୋଧ କରି ଆଜି ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଏକ ଶୋଭାଯାତ୍ରାରେ ବାହାରି ଧର୍ମଶାଳା ବଜାର ପରିକ୍ରମା କରି ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ସହ ପ୍ରତିବାଦ କରିଛନ୍ତି। ଅଭିଯୋଗ ମୁତାବକ ଥାନାର ଜଣେ କର୍ମଚାରୀ ଟ୍ରଷ୍ଟର ସେବା ମୂଳକ କାର୍ଯ୍ୟକୁ ବନ୍ଦ କରିବା ସହ ଧମକ ଚମକ ଦେଉଛନ୍ତି।

ଧର୍ମଶାଳା ଥାନାରେ ମାଫିଆ ରାଜ୍ ଚାଲିଥିବା ବେଳେ ଗରିବ ତଥା ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁ ନାହିଁ। ଏଣୁ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀଙ୍କ ତୁରନ୍ତ ବଦଳି ଦାବି କରି ଟ୍ରଷ୍ଟର ଶତାଧିକ ସଦସ୍ୟ ଥାନା ସମ୍ମୁଖରେ ହୋ-ହାଲ୍ଲା କରିଥିଲେ। ଖବର ପାଇ ଯାଜପୁରରୋଡ଼ ଏସଡିପିଓ ସଂଜୟ କୁମାର ପଟ୍ଟନାୟକ ଓ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ତେବେ ଟ୍ରଷ୍ଟର ଦାବି ଗୁଡିକ ଉପରେ ବିଚାର କରାଯିବା ସହ ଘଟଣାର ତଦନ୍ତ କରାଯିବ ବୋଲି ଏସଡିପିଓ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା।