ଏବେବି ବଞ୍ଚିଛି ମଣିଷପଣିଆ, ପର୍ସ ସହିତ ଟଙ୍କା ଫେରାଇଲେ ଅଟୋ ଡ୍ରାଇଭର ସନ୍ତୋଷ

କଟକ ଜିଲା ବାଙ୍କୀ ଅଞ୍ଚଳର ସନ୍ତୋଷ ସାହୁ। ବେଶ କିଛି ବର୍ଷ ହେବ ପିଲା ପରିବାର ନେଇ କଟକ ସହରରେ ଭଡା ଘରେ ରହୁଛନ୍ତି। ପୂର୍ବରୁ ଟାଉନ ବସ ଚଲାଉଥିବାବେଳେ ଟାଉନ ବସ ବନ୍ଦ ହୋଇଯିବା ପରେ ଏବେ ନିଜେ ଅଟୋ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଗତ ୧୧ ତାରିଖର ଘଟଣା। ସିରିଡି ଯିବା ପାଇଁ ଟିକେଟ କରିବାକୁ ବାହାରି ଥିଲେ ଅବସର ପ୍ରାପ୍ତ ଲ ଅଫିସର ତୁଳସୀପୁର ମଠସାହିର ସରୋଜ ମହାନ୍ତି। ସେଥିପାଇଁ ପର୍ସରେ ୧୩ ହଜାର ଟଙ୍କା ରଖିଥିଲେ। ସାଙ୍ଗରେ ପତ୍ନୀଙ୍କୁ ଧରି ନିଜ ସ୍କୁଟରେ କନିକା ଛକ ପେଟ୍ରୋଲ ପମ୍ପରେ ତେଲ ପକାଇଲେ। ତେଲ ଟାଙ୍କିରେ ପଇସା ଦେଇ ସାରିବା ପରେ ପର୍ସ କଥା ଭୁଲି ଯାଇଛନ୍ତି। କିଛି ସମୟ ପରେ ଦେଖିବା ବେଳକୁ ପର୍ସ ନାହିଁ । ସେହି ରାସ୍ତାରେ ପୁଣି ଖୋଜାଖୋଜି କରି ବିଫଳ ହେଲେ। ଅଭିଯୋଗ ଦେବାକୁ କ୍ୟାଣ୍ଟନମେଣ୍ଟ ଥାନାକୁ ଯିବାବେଳେ ଅନୁଗୁଳର ଜଣେ ବାଲ୍ୟ ବନ୍ଧୁ ପର୍ସ ହଜିଥିବା କଥା ପଚାରିବା ସହ ଅଟୋଚାଳକଙ୍କ ନମ୍ବର ଦେଲେ।

ଅନେକ ବାଧାବିଘ୍ନ ଝଡଝଞ୍ଜାରେ ଚାଲୁଛି ସନ୍ତୋଷଙ୍କ ପରିବାର। ସ୍କୁଲ ଯାଉଥିବା ଦୁଇ ଝିଅଙ୍କୁ କଟକ ସହରରେ ଅଟୋ ଚଲାଇ ପାଠ ପଢାଇବା କଷ୍ଟକର ବ୍ୟାପାର। ତେବେ ପର ଧନରେ ତାଙ୍କର ଲୋଭ ନଥାଏ। ଉଭୟ ସ୍ୱାମୀ ସ୍ତ୍ରୀ ଖଟି ଖାଇବାକୁ ପସନ୍ଦ କରନ୍ତି। ଭଗବାନ ଯାହା ଦିଅନ୍ତି ସେତିକିରେ ସନ୍ତୁଷ୍ଟ ହେବାକୁ ସବୁବେଳେ ଚାହାନ୍ତି। ତେବେ ଟଙ୍କା ପାଇ ଫେରାଇବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଜଣେ ଏଲଆଇସି ଏଜେଣ୍ଟଙ୍କର ୨୫ ହଜାର ଟଙ୍କା ପାଇ ଫେରାଇ ଥିଲେ ସନ୍ତୋଷ।

ସନ୍ତୋଷ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଉଛନ୍ତି ସତ କିନ୍ତୁ ତାଙ୍କର ସଚ୍ଚୋଟ୍ଟତା ଆଜି ତାଙ୍କୁ ମହାନ କରି ଦେଇଛି। ସ୍ୱେଚ୍ଛାସେବୀ ସଙ୍ଗଠନ ଚେତନା ଚକ୍ର ପକ୍ଷରୁ ସ୍ୱାଧିନତା ଦିବସ ଅବସରରେ ସନ୍ତୋଷଙ୍କୁ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନିଆଯାଇଛି।