ବାହାନଗା ରେଳ ଦୁର୍ଘଟଣା: ସତ ଉଗାରିବେ ଗିରଫ ୩ ଅଭିଯୁକ୍ତ, ୫ ଦିନିଆ ରିମାଣ୍ଡରେ ନେଲା ସିବିଆଇ
ବାହାନଗା ରେଳ ଦୁର୍ଘଟଣାର ସତ ଉଗାରିବେ ଗିରଫ ୩ ଅଭିଯୁକ୍ତ । ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିପାଇଁ ଅନୁମତି ଦେଇଥିଲେ ସିବିଆଇ ସ୍ୱତନ୍ତ୍ର କୋର୍ଟ । ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ।
ବାଲେଶ୍ୱର (କେନ୍ୟୁଜ): ବାହାନଗା ରେଳ ଦୁର୍ଘଟଣାର ସତ ଉଗାରିବେ ଗିରଫ ୩ ଅଭିଯୁକ୍ତ । ସେମାନଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିପାଇଁ ଅନୁମତି ଦେଇଥିଲେ ସିବିଆଇ ସ୍ୱତନ୍ତ୍ର କୋର୍ଟ । ଗତକାଲି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ । ଏହାପରେ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ଗିରଫ ତିନି ଅଭିଯୁକ୍ତ ହେଲେ ସିନିଅର ସେକସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ୍ ପପୁ କୁମାର ।
ସେମାନଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୩୦୪ ଓ ୨୦୧ । ଉଦ୍ଦେଶ୍ୟ ନଥାଇ ହତ୍ୟା ଅଭିଯୋଗରେ ଆଇପିସିର ଦଫା ୩୦୪ ଓ ମିଥ୍ୟା ତଥ୍ୟ ଦେବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଲାଗିଛି ଦଫା ୨୦୧ । ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ଓ ଟେକ୍ନୋ ଆନାଲିସିସ୍ ପାଇଁ ରିମାଣ୍ଡରେ ନେଇଛି ସିବିଆଇ । ଗତକାଲି ୩ ଜଣଙ୍କୁ ରିମାଣ୍ଡରେ ନେବା ପରେ ଭୁବନେଶ୍ୱର ଚନ୍ଦକା ଥାନାରେ ରଖଯାଇଛି ।
ତେବେ କାହିଁକି ନିଜ କାର୍ଯ୍ୟାଳୟରେ ନରଖି ଅଭିଯୁକ୍ତଙ୍କୁ ଚନ୍ଦକା ଥାନାରେ ରଖିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଜୁନ ୨ ତାରିଖରେ ବାହାନଗା ବଜାର ଷ୍ଟେସନଠାରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଯଶବନ୍ତପୁର ଏକ୍ସପ୍ରେସ ଓ ମାଲଗାଡ଼ିରେ ପିଟି ହୋଇଥିଲା । ଦୁର୍ଘଟଣା ୨୯୩ ଜୀବନ ନେଇଥିବା ବେଳେ ଆହତ ହୋଇଥିଲେ ହଜାରେରୁ ଅଧିକ ଯାତ୍ରୀ । ଜୁନ୍ ୫ ତାରିଖରେ ଦୁର୍ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା ।