ବାହାରିନ ମନାମାରେ ଇଣ୍ଡିଆନ୍ ହେରିଟେଜ୍ ଫେଷ୍ଟିଭାଲ

ବାହାରିନ(କେନ୍ୟୁଜ୍) : ବାହାରିନର ରାଜଧାନୀ ମନାମାଠାରେ ବାହାରିନ୍ ପ୍ରଦର୍ଶନୀ କେନ୍ଦ୍ରଠାରେ ଅନୁଷ୍ଠିତ ଇଣ୍ଡିଆନ୍ ହେରିଟେଜ୍ ଫେଷ୍ଟିଭାଲରେ ବାହାରିନ୍ ଓଡିଆ ସମାଜ ଅଂଶଗ୍ରହଣ କରିଥିଲେ। ବାହାରିନର ୪୭ତମ ଜାତୀୟ ଦିବସ ପାଳନ ଅବସରରେ ଏହା ଆୟୋଜିତ ହୋଇଥିଲା। ଇଣ୍ଡୋ-ବାହାରିନ୍ ସଂପର୍କକୁ ସମ୍ମାନ ଜଣାଇ ଏହାକୁ ଅଧିକ ସୁଦୃଢ କରିବା ଓ ପ୍ରବାସୀ ଭାରତୀୟମାନଙ୍କ ପାଇଁ ବଦାନ୍ୟତା ପାଣ୍ଠି ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ ଥିଲା।
ଏହି କାର୍ୟ୍ୟକ୍ରମ ମନାମା ସ୍ଥିତ ଭାରତୀୟ ଦୂତାବାସ କର୍ତ୍ତୃତ୍ୱରେ ଥିବା ଇଣ୍ଡିଆନ୍ କମ୍ୟୁନିଟି ରିଲିଫ୍ ଫଣ୍ଡ ଆୟୋଜନ କରିଥିଲା। ବାହାରିନ୍ ଓଡିଆ ସମାଜର ସଦସ୍ୟମାନେ ଓଡିଶାର ବୟନ କାରିଗରିର ବସ୍ତ୍ର, ରୌପ୍ୟ ଅଳଙ୍କାର ପରିଧାନ କରି ର୍ୟାଂପ୍ ସୋ କରିଥିଲେ। ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା। ଖାଦ୍ୟ ଓ ଷ୍ଟଲ କରି,ଘର ପ୍ରସ୍ତୁତ ସ୍ୱାଦିଷ୍ଟ ଖାଦ୍ୟକୁ ପରସିଥିଲେ ବାହାରିନ୍ ଓଡିଆ ସମାଜର ସଦସ୍ୟ। ପଦ୍ମଶ୍ରୀ ଡକ୍ଟର ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ମଧ୍ୟ ସ୍ଥାନ ପାଇଥିଲା।
ଷ୍ଟଲକୁ ଭାରତୀୟ ରାଷ୍ଟ୍ରଦୂତ ଆଲୋକ କୁମାର ସିହ୍ନା ଏବଂ ଇଣ୍ଡିଆନ୍ କମ୍ୟୁନିଟି ରିଲିଫ୍ ଫଣ୍ଡର କାର୍ୟ୍ୟକର୍ତ୍ତାମାନେ ବୁଲି ଦେଖିଥିଲେ। ଏହି ଫେଷ୍ଟିଭାଲର୍ ସ୍ଥାନ ପାଇଥିବା ୬୫ଟି ଷ୍ଟଲ ମଧ୍ୟରୁ ବାହାରିନ୍ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ରାଶି ବାହାରିନରେ ଥିବା ପ୍ରବାସୀ ଭାରତୀୟମାନଙ୍କ ଉପକାର ନିମନ୍ତେ ଉପଯୋଗ ହେବ।