Below header

ଭଦ୍ରକ : ତିନି ଇଞ୍ଚର ପିତ୍ତଳ ବାଲ୍‌ ଗୋପାଲ ମୂର୍ତ୍ତି ପିଇ ଦେଲେ ୧୦ ଲିଟର କ୍ଷୀର, ଅଲୌକିକ ନା ଆଉ କିଛି ?

ଲିଟର କି ଦୁଇ ଲିଟର ନୁହଁ ଏକା ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଏହି ମୂର୍ତ୍ତି ପିଇ ସାରିଲେଣି ୧୦ ଲିଟରରୁ ଅଧିକ କ୍ଷୀର।

ଭଦ୍ରକ (କେନ୍ୟୁଜ୍‌) : କେଉଁଠି ବାସୁଆ ବଳଦ ତ କେଉଁଠି ଗଣେଶ ପାଣି କି କ୍ଷୀର ପିଉଛନ୍ତି । ଆଉ ଏବେ ଖବର ଆସିଛି ଭଦ୍ରକରୁ । ଏଠାରେ ଆଣ୍ଠୁଆ ଗୋପାଳ କ୍ଷୀର ପିଉଛନ୍ତି । ୩ ଇଞ୍ଚର ପିତ୍ତଳ ଆଣ୍ଠୁଆ ଗୋପାଳ ମୂର୍ତ୍ତି ପିଉଛି କ୍ଷୀର। ଲିଟର କି ଦୁଇ ଲିଟର ନୁହଁ ଏକା ଦିନେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଏହି ମୂର୍ତ୍ତି ପିଇ ସାରିଲେଣି ୧୦ ଲିଟରରୁ ଅଧିକ କ୍ଷୀର। ଯାହା ଏବେ ସାରା ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆଉ ଏମିତି ଅଲୌକିକ ତଥା ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ବନ୍ଦାଳ ମଢିଆଳି ପଞ୍ଚାୟତରେ। ଖପୁରିଆପଦା ଗ୍ରାମର ଅନାମ ଚରଣ ପତିଙ୍କ ଘରେ ପୂର୍ବ ପୁରୁଷରୁ ଇଷ୍ଟଦେବ ଭାବେ ପୂଜା ପାଇ ଆସୁଛନ୍ତି ବାଲ ଗୋପାଲଙ୍କର ଏହି ପିତ୍ତଳ ପ୍ରତିମା। ଅନାମ ଓ ତାଙ୍କ ପୁଅ ଧ୍ରୁବ ଚରଣ ଦୈନିକ ଠାକୁରଙ୍କୁ ବୈଦିକ ରୀତିରେ ପୂଜାର୍ଚ୍ଚନା କରିବା ସହିତ ସକାଳେ ବାଲ୍ୟ ଭୋଗ ଏବଂ କ୍ଷୀର ପ୍ରଦାନ କରନ୍ତି। ହେଲେ ଆଜି ଘରେ କେହି ନ ଥିବା ବେଳେ ଧ୍ରୁବ ଚରଣଙ୍କ ପୁଅ ସୌମ୍ୟ ରଞ୍ଜନ ଠାକୁରଙ୍କୁ ପୂଜା କରିବା ସହିତ ବାଲ୍ୟ ଭୋଗ ଏବଂ କ୍ଷୀର ଅର୍ପଣ କରିଥିଲେ । ତେବେ ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତି ଚାହୁଁ ଚାହୁଁ ତାଙ୍କ ହାତରୁ କ୍ଷୀରକୁ ପିଇ ଦେଇଥିଲେ। ଏଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ । ତେବେ ଏ ଘଟଣା ସୌମ୍ୟ ରଞ୍ଜନଙ୍କୁ ସ୍ତବଧ କରି ଦେଇଥିଲା । ସେ ପରୀକ୍ଷା କରିବା ପାଇଁ ଆଉଥରେ ଗୋଟିଏ ଚାମଚ ସାହାଯ୍ୟରେ ଗୋପାଳ ମୂର୍ତ୍ତିଙ୍କ ମୁହଁରେ କ୍ଷୀର ଦେଇଥିଲେ । ପୁଣି ଆଖି ପିଛୁଳାକେ ପିଇ ଦେଲେ ଠାକୁର ମୂର୍ତ୍ତି ।

GOPAL-2

ତେବେ ଏଭଳି ବିସ୍ମୟକର ଦୃଶ୍ୟ ଦେଖି ସୌମ୍ୟ ରଞ୍ଜନ ଘର ଲୋକଙ୍କୁ ଡାକିଥିଲେ । ପରିବାରର ସମସ୍ତେ ଆସି ନିଜ ହାତରେ ପ୍ରଭୁଙ୍କୁ କ୍ଷୀର ପିଆଇ ଥିଲେ । ଆଉ ସେମାନେ ଦେଇଥିବା କ୍ଷୀର ପିଇ ଦେଇଥିଲେ ବାଲ୍‌ ଗୋପାଲ । ଏହା କହିଛନ୍ତି ପରିବାର ଲୋକେ । ଏହାପରେ ସେମାନେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ସହିତ ହୋମ ଯଜ୍ଞ କରାଇଥିଲେ। ଏହି ଅଲୌକିକ ଘଟଣା ପ୍ରଚାର ହେବା ପରେ ଧ୍ରୁବ ଚରଣଙ୍କ ଘର ଆଗରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ପ୍ରଭୁଙ୍କ ଦର୍ଶନ କରିବା ସହ ନିଜ ହାତରେ କ୍ଷୀର ପିଆଇବା ପାଇଁ ପ୍ରତିଯୋଗିତା ଲାଗି ଯାଇଥିଲା । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ୩ ଇଞ୍ଚର ପିତ୍ତଳ ମୂର୍ତ୍ତି ଗୋଟିଏ ଦିନରେ ଭକ୍ତଙ୍କ ହାତରୁ ପ୍ରାୟ ୧୦ ଲିଟରରୁ ଊର୍ଦ୍ଧ୍ୱ କ୍ଷୀର ପିଇଥିଲେ । ଭକ୍ତମାନେ ଦେଉଥିବା କ୍ଷୀର ଠାକୁରଙ୍କ ମୁହଁ ଦେଇ କୁଆଡ଼େ ଚାଲି ଯାଉଥିଲା । ହେଲେ ତଳେ ପଡୁନଥିଲା । ଏହା ଠାକୁରଙ୍କ ଅପୂର୍ବ ଲୀଳା ବୋଲି ଲୋକେ କହୁଛନ୍ତି ।

ତେବେ ବିଜ୍ଞାନ ଅନୁସାରେ କ୍ୟାପିଲାରି ଆକ୍ସନ ମାଧ୍ୟମରେ ଚିନା ମାଟି, ମାଟି ଓ ପଥର ମୂର୍ତ୍ତି ତରଳ ପଦାର୍ଥକୁ ଶୋଷି ନେଇଥାଏ । ହେଲେ ଏଠି କ୍ଷୀର ପିଉଛନ୍ତି ବାଲ୍‌ ଗୋପାଳଙ୍କ ପ୍ରାଚୀନ ପିତ୍ତଳ ପ୍ରତିମା । ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସାହିତ୍ୟ ଆଧ୍ୟାତ୍ମିକ ଶକ୍ତିର ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.