ଖରା ତାତିଠାରୁ ଅଧିକ ହେଲାଣି ନିର୍ବାଚନୀ ତାତି, ନେତାଙ୍କ ଦଳ ବଦଳକୁ ନେଇ ଉଷ୍ମ ହେଉଛି ନୀଳଗିରି ଓ ସିମୁଳିଆ ନିର୍ବାଚନମଣ୍ଡଳୀ

ବାଲେଶ୍ୱର : ସରଗରମ ନୀଳଗିରି ଓ ସିମୁଳିଆର ରାଜନୀତି । ଶତ୍ରୁ ଶିବିରରେ ନେତାଙ୍କ ଯୋଗଦାନ ରାଜନୀତିକୁ ରୋଚକ କରିଛି । ନିଜ ଦଳରେ ପତିଆରା ଖସୁଥିବା ନେତା ଏବେ ଦଳ ବଦଳ କରିବାରେ ବ୍ୟସ୍ତ । କିଛି ଦିନ ତଳେ କଂଗ୍ରେସର ପୂର୍ବତନ ମନ୍ତ୍ରୀ ପଦ୍ମ ଲୋଚନ ପଣ୍ଡା ବିଜେପି ଶିବିରରେ ସାମିଲ ହୋଇଥିଲେ । ପଦ୍ମ ଦଳକୁ ପଦ୍ମ ଆସିବା ପରେ ଗତ ଥରର ବିଜେପି ପ୍ରାର୍ଥୀ ଶଶୀ କୁମାର ସାହୁଙ୍କ ଅଡ଼ୁଆ ବଢିଥିଲା । ଏବେ ନିର୍ବାଚନ ନିକଟତର ହେଉଥିବା ବେଳେ ବିଜେପିକୁ ଝଟ୍‌କା ଦେଇ ଶଶୀ ସାହୁ ବିଜେଡି ଶିବିରରେ ସାମିଲ ହୋଇଛନ୍ତି । ଗତ ନିର୍ବାଚନରେ ବିଜେଡିରୁ ଟିକେଟ୍‌ ନପାଇ ବିଜେପିକୁ ଡେଇଁଥିଲେ ଶଶୀ ।

ସିମୁଳିଆଠାରୁ ଅଧିକ ଉଷ୍ମ ହୋଇଛି ନୀଳଗିରି ରାଜନୀତି । ବିଜେଡିରୁ ସୁଷମାଙ୍କ ଇନ୍‌ ଓ ସୁକାନ୍ତଙ୍କ ଆଉଟ୍‌ ଉଭୟ ବିଜେଡି ଓ ବିଜେପି ରାଜନୀତିକୁ ଗୋଳିଆ କରିଛି । ଟିକେଟ୍‌ ଘୋଷଣା ପୂର୍ବରୁ ଗତ ଥରର ବିଜେପି ପ୍ରାର୍ଥୀ ସୁଷମା ବିଶ୍ୱାଳ ବିଜେଡିରେ ସାମିଲ ହୋଇଥିବା ବେଳେ ବିଧାୟକ ସୁକାନ୍ତ ନାୟକ ବିଜେଡି ଶିବିର ପରିତ୍ୟାଗ କରିଛନ୍ତି । ଶଙ୍ଖ ଛାଡିଥିବା ସୁକାନ୍ତ ପଦ୍ମ ଧରିବାକୁ ଦିଲ୍ଲୀରେ ଡେରା ମାରିଥିବା ଆଲୋଚନା ହେଉଛି । ଏହି ଦୁଇ ନେତାଙ୍କ ଦଳ ବଦଳ ଜିଲ୍ଲା ରାଜନୀତିକୁ ସରଗରମ କରିଛି ।

ଦିନକ ପୂର୍ବରୁ ବିଧାୟକଙ୍କ ବୈଠକରେ ସାମିଲ ଦେଇଥିବା ନେତା କର୍ମୀ ପାଣିପାଗ ବଦଳିବା ସହ ସେମାନଙ୍କ ସ୍ୱର ବଦଳାଇଛନ୍ତି । ଦଳ ଯାହାକୁ ଟିକେଟ୍‌ ଦେବ ତାଙ୍କ ପାଇଁ କାମ କରିବେ ବୋଲି ସେମାନେ କହିଛନ୍ତି । ଅନ୍ୟପଟେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀଗୁଡିକୁ ବିଜେଡି କବ୍‌ଜା କରିବ ବୋଲି ଦୃଢୋକ୍ତି କରିଛନ୍ତି ବାଲେଶ୍ୱର ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ।

ନେତାଙ୍କ ଶିବିର ପରିବର୍ତ୍ତନ ସବୁ ଦଳର ଟିକେଟ୍‌ ଗଣିତକୁ ବିଗାଡିବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ରାଜନୈତିକ ଦୃଶ୍ୟପଟ ବଦଳୁଥିବା ବେଳେ କେଉଁ ଦଳ କାହାକୁ ଟିକେଟ୍‌ ଦେଉଛି ତାକୁ ନେଇ ସାଧାରଣରେ ବଢୁଛି ଉତ୍କଣ୍ଠା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.