ବୁଧବାରଠୁ ଖୋଲିବ ବାରବାଟୀ ପରିବା ହାଟ, ବାହାର ଚାଷୀ ଓ ବ୍ୟବସାୟୀଙ୍କୁ ମନା

ଯାଜପୁର(କେନ୍ୟୁଜ୍‌) : ଯାଜପୁର ଜିଲ୍ଲାରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରସଲପୁ ବ୍ଲକ୍‌ର ବାରବାଟି ପରିବା ବଜାରକୁ ବନ୍ଦ ରଖିଥିଲା ପ୍ରଶାସନ ।ସପ୍ତାହ ପରେ ବୁଧବାର ବାରବାଟୀ ପରିବା ହାଟ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏଠାରେ ୧୪୪ ଧାରା ଜାରି କରାଯାଇଥିଲା । ଏକ ସପ୍ତାହ ହେବ ଏହି ପରିବା ବଜାର ବନ୍ଦ ରହିବା ଫଳରେ ଅଂଚଳର ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏହାକୁ ବିଚାର କରି ଆଜି ରସୁଲପୁର ବ୍ଲକ୍‌ ପ୍ରଶାସନ ପରିବା ବଜାରକୁ ଆସନ୍ତାକାଲି ଠାରୁ ଖୋଲିବା ପାଇଁ ଅନୁମତି ଦେଇଛି । ସକାଲ ୬ ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ହାଟ ଖୋଲା ରହିବ ।

ଏହି ସମୟରେ ବାହାର ରାଜ୍ୟର ଗାଡ଼ି ସହିତ ୫ ଟି ବ୍ଲକ୍‌ କଣ୍ଟେନମେଣ୍ଟ ଅଞ୍ଚଳର ଚାଷୀ ଓ ବ୍ୟବସାୟୀଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି । ଏଠାକୁ ଆସୁଥିବା ଚାଷୀ ଓ ବ୍ୟବସାୟୀମାନେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ଆଜି ଅନୁଷ୍ଠିତ ବୈଠକରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରସଲପୁର ବିଡିଓ ଉମାକାନ୍ତ ପରିଡ଼ା, ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ, ଧର୍ମଶାଳା ଥାନାଧିକାରୀ ସରୋଜ କୁମାର ସାହୁ, କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ୱାଇଁ ଓ ସ୍ଥାନୀୟ ପରିବା ବଜାର କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.