ମହା ଆଡ଼ମ୍ବରରେ ପାଳିତ ହୋଇଛି ଯାଜପୁର ସ୍ଥିତ ବରାହ ଦେବଙ୍କ ସ୍ୱନକ୍ଷତ୍ର ଉତ୍ସବ, ଦର୍ଶନ ପାଇଁ କାହିଁ କେତେ ଦୂରରୁ ଛୁଟି ଆସିଛନ୍ତି ଭକ୍ତ

ଆଜି ପବିତ୍ର ବକୁଳ ବା ବଉଳ ଅମାବାସ୍ୟା । ଓଡ଼ିଆ ରୀତିରେ ବଉଳ ଅମାବାସ୍ୟାକୁ ବରାହ ଅବତାରଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ । ଧରାପୃଷ୍ଠରେ ଅଧର୍ମର ବିନାଶ ପାଇଁ ସ୍ୱୟଂ ନାରାୟଣ ନିଜର ଦଶ ଅବତାର ମଧ୍ୟରୁ ଆଉ ଏକ ଅବତାର ମାନେ ବରାହ ଅବାତରଙ୍କ ରୂପରେ ଆସି ରାଜା ହିରଣ୍ୟକର ସଂହାର କରିଥିଲେ। ତେବେ ପୁରାଣରେ ତ ହିରଣ୍ୟକଶ୍ୟପଙ୍କ କଥା ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରାଯାଇଛି। ଏହାକୁ ଆପଣ ମାନେ ଶୁଣିଥିବେ ମଧ୍ୟ। ପୁରାଣ ମତ ଅନୁଯାୟୀ ଏକଦା ଧରାପୃଷ୍ଠରେ ହିରଣ୍ୟକର ଅତ୍ୟାଚାର ବଢ଼ିବାକୁ ଲାଗିଲା। ଏମିତିକି କ୍ରୋଧ ହିଂସାରେ ଆସି ସେ ମୁନି ଋଷିଙ୍କ ଯଜ୍ଞ କାମରେ ମଧ୍ୟ ବାଧା ସୃଷ୍ଟି କରୁଥିଲା। ନିଜ ପରାକ୍ରମ ଓ ବାହୁବଳରେ ହିରଣ୍ୟକ ସ୍ୱର୍ଗ, ନର୍କ, ମୃତ୍ୟୁଲୋକ ଉପରେ ବିଜୟ ହାସଲ କରିଥିଲା ।

ଏହି ସମୟରେ ଦେବତାଙ୍କ ସହ ସ୍ୱୟଂବ୍ରହ୍ମା ହିରଣ୍ୟକ ଦାଉରୁ ରକ୍ଷା ପାଇବା ନେଇ ନାରାୟଣଙ୍କୁ ପ୍ରାର୍ଥନା କଲେ । ପ୍ରଭୁଙ୍କ ଠାରୁ ଆଦେଶ ପାଇ ପିତାମହ ବ୍ରହ୍ମା ନାରାୟଣଙ୍କ ଧ୍ୟାନ କରି ନିଜ ନାସିକାରୁ ବିଷ୍ନୁଙ୍କ ବରାହ ଅବତାରକୁ ଜନ୍ମ ଦେଇଥିଲେ । ଏହା ପରେ ହିରଣ୍ୟକ ଓ ନାରାୟଣଙ୍କ ଭିତରେ ଘମାଘୋଟ ଯୁଦ୍ଧ ହୋଇଥିବା ବେଳେ ପ୍ରଭୁ ବରାହ ରୂପରେ ନିଜ ତୀକ୍ଷ୍ଣ ଦାନ୍ତ ସାହାଯ୍ୟରେ ହିରଣ୍ୟକର ବଦ୍ଧ କରିଥିଲେ । ଶେଷରେ ଅଧର୍ମ ଉପରେ ଧର୍ମ ତଥା ଅନ୍ୟାୟ ଉପରେ ନ୍ୟାୟର ବିଜୟ ହେଲା। ସେହିଦିନଠୁ ପ୍ରତି ବର୍ଷ ପୌଷ ମାସର ଅମାବାସ୍ୟାକୁ ବରାହଙ୍କ ଜନ୍ମ ଉତ୍ସବ ରୂପେ ପାଳନ କରାଯାଏ।

ଏହି ଅବସରରେ ଯାଜପୁରର ପୂଣ୍ୟତୋୟା ବୈତରଣୀ ତଟରେ ଥିବା ଶ୍ରୀ ଶ୍ରୀ ବରାହ ଦେବଙ୍କ ସ୍ୱନକ୍ଷତ୍ର ଦିବସ ଉତ୍ସବ ପାଳନ ହୋଇଛି । ଦୀର୍ଘ ଦୁଇ ବର୍ଷ ପରେ ଏହାକୁ ମହା ଆଡ଼ମ୍ବରରେ ପାଳନ କରାଯାଉଛି ।ଯାଜପୁରର ଅନ୍ୟତମ ପବିତ୍ର ବରାହ ପୀଠ। ପୁରୋଧା ହିମାଂଶୁ ପତିମିଶ୍ରଙ୍କ ପୌରହିତ୍ୟରେ ପ୍ରଭୁଙ୍କ ମହାସ୍ନାନ, ପୂଜା ହୋମ, ବିଷ୍ଣୁ ଶହସ୍ର ନାମ, ଗୀତା ପାଠ ଓ ସଂକୀର୍ତନ ନାମଯଜ୍ଞ ଅନୁଷ୍ଠିତ ହେଉଛି । ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ବରାହଙ୍କୁ ପୂଜା କରାଯିବା ସହିତ ମନ୍ଦିର ଉପରେ ଧ୍ୱଜା ରୋପଣ କାର୍ୟ୍ୟକ୍ରମ ଅପରାହ୍ନରେ ଅନୁଷ୍ଠିତ ହେବ । ଏହି ବକୁଳ ଅମାବାସ୍ୟା ଉପଲକ୍ଷେ ବକୁଳ କଢ଼ି ଠାକୁରଙ୍କୁ ପୂଜା କରାଯାଇଥାଏ ।

କୁହାଯାଏ ବ୍ରହ୍ମାଙ୍କ ଯଜ୍ଞରୁ ପ୍ରଥମେ ବରାହ ଜନ୍ମ ନେଇଥିଲେ ପରେ ମା ବିରଜାଙ୍କ ଜନ୍ମ ହୋଇଥିଲା । ବରାହଙ୍କ ଜନ୍ମ ବକୁଳ ଅମାବାସ୍ୟା ବା ବଉଳ ଅମାବାସ୍ୟାରେ ହୋଇଥିଲା। ତେଣୁ ବଉଳ ଅମାବାସ୍ୟା ତିଥିକୁ ବରାହଙ୍କ ଜନ୍ମ ତିଥି ରୂପେ ପାଳନ କରାଯାଏ। ଆଜି ସେହି ବକୁଳ ଅମାବାସ୍ୟାରେ ବରାହଙ୍କ ଜନ୍ମ ଦିବସ ପାଳନ କରାଯାଉଛି।

ଏଠାରେ ଯଜ୍ଞବରାହ, ସ୍ବେତ ବରାହ ଓ ଲକ୍ଷ୍ମୀ ବରାହ ବିରାଜମାନ କରିଛନ୍ତି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଧୂମଧାମରେ ପାଳନ କରାଯାଉଛି ଯଜ୍ଞ ବରାହଙ୍କର ଜନ୍ମ ତିଥି। ମହାସ୍ନାନ ପରେ ବେଶ ଓ ତାପରେ ରୀତିନୀତି ଅନସାରେ ବରାହଙ୍କ ପୂଜାର୍ଚ୍ଚନା ଚାଲିଥିଲା। ସଂନ୍ଧ୍ୟା ପୂର୍ବରୁ ମନ୍ଦିର ଚୂଡାରେ ନୂତନ ଧ୍ବଜା ଲଗାଯାଇଥିଲା । ପରେ ହୋମ ଆଦି କର୍ମପରେ ବରାହଙ୍କ ପୂଜା ସମାପନ କରାଯିବ। ଯଜ୍ଞ ବରାହଙ୍କ ଜନ୍ମ ତିଥି ପାଳନ ଅବସରରେ ଯାଜପୁର ତଥା ଯାଜପୁର ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.