ମହାପ୍ରଭୁଙ୍କ ସ୍ନାନଯାତ୍ରା ଉପଲକ୍ଷେ ସେନାପଟା ଓ ବାହୁଟ ପାଇଁ ଶ୍ରୀକ୍ଷେତ୍ର ଗଲା ବଉଳ କାଠ

ପୁରୀ(କେନ୍ୟୁଜ) : ଗତକାଲି ଶନିବାର ଶ୍ରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀସିଦ୍ଧ ବଳରାମ ଦେବଙ୍କ ମନ୍ଦିରଠାରୁ ବଉଳ କାଠ ପାରମ୍ପରିକ ରୀତିନୀତି ଅନୁଯାୟୀ ଶଗଡ଼ରେ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆ ଯାଇଛି।

ମହାପ୍ରଭୁଙ୍କର ଆସନ୍ତା ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶ୍ରୀବଳଭଦ୍ର, ମାତା ସୁଭଦ୍ରା ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି ବିଜେ ସମୟରେ ଶ୍ରୀଅଙ୍ଗର ସୁରକ୍ଷା ନିମନ୍ତେ ଆବଶ୍ୟକ ସେନାପଟା ଓ ବାହୁଟ ସେବା ନିମନ୍ତେ ଏହି ବଉଳ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିଛି । ଗତକାଲି ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥି ଅବସରରେ ଏହି କାର୍ଯ୍ଯ ସମାପନ କରାଯାଇଛି।

ସ୍ଥାନୀୟ ଭକ୍ତ, ସୁଧର୍ମା ମହାସଂଘ ଓ ଗୁରୁକୁଳ ଆଥଲେଟିକ୍‌ସ୍‌ର ଶିକ୍ଷାନବୀଶମାନେ ଘଣ୍ଟ, ମୃଦଙ୍ଗ ଓ ସଂକୀର୍ତ୍ତନ କରି ଏକ ବିଶାଳ ଶୋଭାଯାତ୍ରାରେ ଏହି ଶଗଡ଼କୁ ଶ୍ରୀକ୍ଷେତ୍ର ଅଭିମୁଖେ ନେଇଯାଇଥିଲେ। ସତ୍ୟବାଦୀ ବ୍ଲକ୍‌ ଛକ ନିକଟରେ ବଉଳ କାଠ ନେଉଥିବା ଶଗଡ଼କୁ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆଯାଇଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.