ଅଭାବ ଯୋଗୁ ଅଜଣା ପାଲଟିଛି ରୋଗ: ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଉଥିବା ଦଣ୍ଡାସି ଏବେ ଶଯ୍ୟାଶାୟୀ

ଭଞ୍ଜନଗର: ବୟସ ଠୁ , ବଳିଗଲାଣି ଯନ୍ତ୍ରଣା । ଅଭାବ ଯୋଗୁଁ, ଅଜଣା ପାଲଟି ଯାଇଛି ରୋଗ । ଯା‌ହା କିଛି ସମ୍ବଳ ଥିଲା , ସବୁ ଡାକ୍ତରଖାନା ଖର୍ଚ୍ଚରେ ସରିଲା । ତଥାପି କିଛି ସୁଫଳ ମିଳିଲାନି । ବରଂ ଦିନକୁ ଦିନ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ରୋଜଗାର କରିବାକୁ , ଏବେ ଆଉ ଦେହରେ ବଳ ନାହିଁ । ଏକମାତ୍ର ରୋଜଗାରକ୍ଷମ ପୁଅର ଚିକିତ୍ସା ପାଇଁ , ଅନ୍ୟପାଖରେ ନେହୁରା ହୋଇ ସହାୟତା ମାଗୁଛନ୍ତି ପରିବାର ଲୋକେ। ଏ ହେଉଛି ଗଂଜାମ ଜିଲ୍ଲା ଭଂଜନଗର ବ୍ଳକ ଅନ୍ତର୍ଗତ ନୂଆଁଲେମ୍ଭେଇ ଗ୍ରାମର ଦଣ୍ଡାସି ପ୍ରଧାନଙ୍କ ପରିବାର କଥା ।

ସତରେ ଏହି ପରିବାରର ଦୁଃଖ କହିଲେ ନସରେ । ଲୁହ ଭର୍ତ୍ତି ଆଖିରୁ ଆରମ୍ଭ ହୁଏ, ପରିବାର ଲୋକଙ୍କ ସକାଳ । ଗଲା ବର୍ଷେ ହେଲା, ଶେଯରେ ଶୋଇରହିଛି ଭେଣ୍ଡିଆ ପୁଅ । କଡ ଲେଉଟାଇଲା ମାତ୍ରକେ , ଅସହ୍ୟ ଯନ୍ତ୍ରଣା । ଋତୁ ପୂର୍ବର ପତ୍ର-ଝଡା ଗଛ ଭଳି , ମାଡିବସିଲାଣି ଅକାଳ ବାର୍ଦ୍ଧକ୍ୟ । ମୂଲ-ଖଟି ରୋଜଗାର କଲେ, ପାଞ୍ଚ ପ୍ରାଣୀଙ୍କ ପେଟକୁ ଦାନା ଯାଉଥିଲା । ହେଲେ, ଏବେ ଆଉ ତାହା ସମ୍ଭବ ହୋଇପାରୁନି । ପରିବାର କହିଲେ ଅତିକ୍ରାନ୍ତ ବୟସର ଭିନ୍ନକ୍ଷମ ବାପା, ଭଲଭାବରେ ଦେଖିପାରୁନଥିବା ବୁଢ଼ୀ ମା’ , ଦୁଇ କଅଁଳା ଛୁଆ ଓ ସ୍ତ୍ରୀ।

1ଖଟିବା, ଆଉ ଖଣ୍ଡେ ଖାଇବା । ଏହା ଥିଲା ଦଣ୍ଡାସି ପ୍ରଧାନଙ୍କ ନିଅଣ୍ଟିଆ ସଂସାରର ନିତିଦିନିଆ ଘଟଣା ସବୁକିଛି ଠିକ୍ ଠାକ୍ ଚାଲିଥିଲା । ହଠାତ୍ ଦିନେ ଅଚଳ ହୋଇପଡିଲେ,ସେ । ଧିରେଧିରେ ଶଯ୍ୟାଶାୟୀ ହେବାକୁ ଲାଗିଲେ । ଅର୍ଥାଭାବରୁ ରୋଗର ପରୀକ୍ଷା କିମ୍ବା ଚିକିତ୍ସା କରିବା ସମ୍ଭବ ହୋଇପାରିଲାନି । ବିନା ଚିକିତ୍ସାରେ , ବିଛଣା ରେ ପଡି-ପଡି ଦିନ ବିତାଇବାକୁ ପଡୁଛି ଦଣ୍ଡାସି ପ୍ରଧାନଙ୍କୁ । ବେଳେ ବେଳେ କିଛି ଟଙ୍କା ଯୋଗାଡ କରିବା ପାଇଁ, ଅନ୍ୟର ମୂଲକାମ କରିବାକୁ ପଡୁଛି , ସ୍ତ୍ରୀ ରଶ୍ମିତାଙ୍କୁ । ତଥାପି ଦୁଃଖ ଓ ରୋଗ ର ଯନ୍ତ୍ରଣା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ।

3କେବଳ ବାପା-ମା ଙ୍କୁ ମିଳୁଥିବା ଭତ୍ତା ଟଙ୍କା ରେ ହିଁ ପରିବାର ଚଳୁଛି । ରହୁଥିବା ଘର ଖଣ୍ଡିକ ବ୍ୟତୀତ ଆଉ କିଛି ସମ୍ବଳ ନାହିଁ । ଡାକ୍ତର କହୁଛନ୍ତି, ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଦରକାର । କେବଳ ସରକାରୀ ସହାୟତା ଏକମାତ୍ର ଭରଷା ବୋଲି , ନେହୁରା ହୋଇ ଗୁହାରି ଜଣାଉଛିନ୍ତି ପରିବାର ଲୋକ ।ବୁଢ଼ା ବାପା-ମା ଙ୍କ ଅସରନ୍ତି ଆଶା , ପିଲାଙ୍କ ଲମ୍ବା ଭବିଷ୍ୟତ ଓ ସ୍ତ୍ରୀ ଙ୍କ ସୀମାହୀନ-ସ୍ବପ୍ନ , ସବୁକିଛି ଅଧାରେ ଅଟକାଇ ଦେଇଛି , ଦଣ୍ଡାସି ପ୍ରଧାନଙ୍କ ଏଭଳି ପରିସ୍ଥିତି । ଯଦି ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରନ୍ତା , ତା’ହେଲେ ଏହି ପରିବାରର ଭବିଷ୍ୟତ ହସି ଉଠନ୍ତା , ଏଥିରେ ସନ୍ଦେହ ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.