ହିତାଧିକାରୀମାନଙ୍କୁ ମିଳୁନି ଭତ୍ତା ଟଙ୍କା, ଏମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି

ପାଟଣାଗଡ଼(କେନ୍ୟୁଜ): ସେ ବୃଦ୍ଧବୃଦ୍ଧା ହୁଅନ୍ତୁ କି ଭିନ୍ନକ୍ଷମ ବା ବିଧବା ସମସ୍ତେ ନିଃସହାୟ ବୋଲି ସରକାର କରିଛନ୍ତି ଭତ୍ତା ବ୍ୟବସ୍ଥା । ନିଃସହାୟମାନଙ୍କୁ ପୂର୍ଣ୍ଣ ସହାୟତା କରି ନପାରିଲେ ବି କିଛି ସହାୟତା ପ୍ରଦାନ କରି ତାଙ୍କ ଦୁଃଖ ବୁଝିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ସରକାର । ହେଲେ କିଛି ପ୍ରଶାସନିକ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ହଇରାଣ ହେଉଛନ୍ତି ଅନେକ ହିତାଧିକାରୀ ।

ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ କନ୍ଧେନଝୁଲା ଗ୍ରାମ ପଞ୍ଚାୟତର ସାମାଜିକ ସୁରକ୍ଷା ହିତାଧିକାରୀମାନେ ପାଇନାହାନ୍ତି ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ବିଧବା ଭତ୍ତା । କିଛି ହିତାଧିକାରୀଙ୍କୁ ଗତ ମାର୍ଚ୍ଚ ମାସର ଭତ୍ତା ପ୍ରଦାନ କରାଯାଇଥିବା ବେଳେ ଅଧିକାଂଶ ହିତାଧିକାରୀ ଭତ୍ତା ଟଙ୍କା ପାଇନାହାନ୍ତି । ଗତ ଏପ୍ରିଲ ମାସରୁ କାହାକୁ ଦିଆ ଯାଇନାହିଁ ଭତ୍ତା । ହିତାଧିକାରୀମାନେ ସ୍ଥାନୀୟ ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରୁଥିବା ବେଳେ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଦୀର୍ଘ ୩ ମାସ ହେବ ଭତ୍ତା ଟଙ୍କା ମିଳିନଥିବା ବେଳେ ହିତାଧିକାରୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ କେହି କାମ କରିବା ପାଇଁ ଡାକୁ ନଥିବା ବେଳେ ସେମାନେ ଚାତକପରି ଭତ୍ତା ଟଙ୍କାକୁ ଚାହିଁ ବସିଛନ୍ତି । କୌଣସି ଭଦ୍ରଲୋକ ଦେଖିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସରପଞ୍ଚଙ୍କୁ ଫୋନ ଟିକିଏ କରିବା ପାଇଁ ଅନୁରୋଧ କରି ଫୋନ ଲଗାଇଲେ ସେମାନେ ଫୋନ ଉଠାଉ ନଥିବା ହିତାଧିକାରୀମାନେ କହିଛନ୍ତି ।

ହିତାଧିକାରୀମାନେ କୌଣସି ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଅଭିଯୋଗ କରିବା ପାଇଁ ସକ୍ଷମ ନଥିବା ବେଳେ ଉଚ୍ଚପଦସ୍ଥ ଅଧିକାରୀ ତାଙ୍କ ସମସ୍ୟା ନଶୁଣିବା ଏକ ଦୁଃଖର ବିଷୟ ହୋଇଛି । ଅନ୍ୟପଟେ ବେଲପଡା ବିଡିଓ ଘଟଣା ବିଷୟରେ ଶୁଣିବା ପରେ ବ୍ୟାଙ୍କକୁ ଦୋଷ ଦେଇଥିଲେ । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି । କିନ୍ତୁ ଗତ ତିନିମାସ ହେବ ହିତାଧିକାରୀ ଭତ୍ତା ଟଙ୍କା ନପାଇ ହଇରାଣ ହେଉଛନ୍ତି ।

ହିତାଧିକାରୀମାନେ ଭତ୍ତା ଟଙ୍କାକୁ ଚାତକ ପରି ଚାହିଁ ବସିଥିବା ବେଳେ କେହି ତାଙ୍କୁ ଧାର ଉଧାର ଦେଉନଥିବାରୁ ଅଧିକ ହଇରାଣ ହେଉଛନ୍ତି । ମାସକୁ ମାସ ଆସୁଥିବା ଭତ୍ତା ଟଙ୍କା କୁଆଡ଼େ ଗଲା ? ଏ ଘଟଣାର ଉପଯୁକ୍ତ ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି କରିବା ସହିତ ଏ ବିଷୟରେ ଜନସ୍ୱାର୍ଥ ମାମଲା ରୁଜୁ କରିବେ ବୋଲି କହିଛନ୍ତି ସ୍ବେଛାସେବୀ ।

Leave A Reply

Your email address will not be published.