ସର୍ଚ୍ଚ ଅପରେସନ ବେଳେ ମାଲକାନଗିରି ସୀମାନ୍ତ ଜଙ୍ଗଲରୁ ସ୍ପାଇକ ହୋଲ୍ ଠାବ

ମାଲକାନଗିରି (କେନ୍ୟୁଜ): ନକ୍ସଲ ରଚିଥିଲେ ଷଡ଼ଯନ୍ତ୍ର । ଲୁଚି ଲୁଚି ପ୍ରସ୍ତୁତ କରିଥିଲେ ରଣନୀତି । ବଡ ଅଘଟଣ ଘଟାଇବାକୁ ଚାଲିଥିଲେ ଚକ୍ରାନ୍ତ । ହେଲେ ପଣ୍ଡ ହୋଇଛି ନକ୍ସଲଙ୍କ ସମସ୍ତ ଯୋଜନା ।

ମାଲକାନଗିରିରେ ସ୍ପାଇକ ହୋଲ୍ ଠାବ । ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସକୁ ବଡ ସଫଳତା । ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ରହିଥିବା ସ୍ପାଇକ ହୋଲ୍ ଠାବ କରିଛନ୍ତି ସୁରକ୍ଷାକର୍ମୀ । ଛତିଶଗଡ଼ ଏବଂ ତେଲେଙ୍ଗାନା ପୋଲିସ୍ ମିଳିତ ଭାବେ ସୀମାନ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ସ୍ପାଇକ୍ ହୋଲ୍ ଠାବ କରିଛନ୍ତି ।

ଜଙ୍ଗଲରୁ ୪ ହଜାର ୩୯୬ଟି ଲୁହା ଥିବା ସ୍ପାଇକ୍ ଜବତ କରିଛି ପୋଲିସ୍ । ଯବାନ ଏବଂ ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ୍ କରି ଏଗୁଡିକୁ ଖଞ୍ଜା ଯାଇଥିବା ସନ୍ଦେହ କରାଯାଉଛି । ଜଙ୍ଗଲରେ ସ୍ପାଇକ୍‌ ହୋଲ୍‌ ଠାବ ହେବା ପରେ ସର୍ଚ୍ଚ ଅପେରେସନ ଜାରି ରହିଛି । ତେଲେଙ୍ଗାନାର ଭଦ୍ରାଦୀ କୋତାଗୁଡ଼େମ୍ ଜିଲ୍ଲାର ପୁସୁଗୁପା ଜଙ୍ଗଲରେ ମାଓବାଦୀ ଏହି ସ୍ପାଇକ୍ ହୋଲ କରିଥିବା ସୂଚନା ଦେଇଛନ୍ତି ।

ଏପଟେ ଭଦ୍ରାଦୀ କୋତାଗୁଡ଼େମ୍ ର ଏସପି ଅଛନ୍ତି ପରିତୋଷ ପଙ୍କଜ । ଏସପି ପରିତୋଷ ପଙ୍କଜ ଏହି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜଙ୍ଗଲରେ ନକ୍ସଲ ବୋମା ଖଞ୍ଜିବା ସହ ସ୍ପାଇକ ହୋଲ୍ କରି ଆଦିବାସୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି । ସୀମାନ୍ତବ଼ର୍ତ୍ତୀ ଗ୍ରାମର ଲୋକେ ଜଙ୍ଗଲକୁ ବିଭିନ୍ନ କାମରେ ଯାଉଥିବା ବେଳେ ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ମରଣ ଯନ୍ତାରେ ଫସି ମୃତ୍ୟୁବରଣ କରୁଛନ୍ତି ।

ତେବେ ମାଓ ହିଂସା ଛାଡି ପୁଣି ସ୍ୱାଭାବିକ ଜୀବନକୁ ଫେରିବା ଲାଗି ବାରମ୍ବାର ସରକାର ଅପିଲ୍ କରୁଥିବାବେଳେ, ମାଓବାଦୀ କିନ୍ତୁ ସେମାନଙ୍କ ଜିଦରେ ଅଟଳ । ଏଭଳି ଷଡ଼ଯନ୍ତ୍ର କରୁଛନ୍ତି ଯେଉଁଥିଲେ ସାଧାରଣ ନିରୀହ ଲୋକଙ୍କ ଜୀବନ ଯାଉଛି ।

ତେବେ ଏହି ସ୍ପାଇକ ହୋଲ୍ ଠାବ ହେବା ପରେ ପୋଲିସ୍ ପାଇଁ ଏହା ଚିନ୍ତା ବଢାଇଥିବାବେଳେ , ଏଭଳି ସ୍ପାଇକ ହୋଲ୍ ଆଉ କେଉଁଠି ଅଛି କି ନାହିଁ ସେନେଇ ଜୋରଦାର୍ ଅପରେସନ ଜାରି ରଖାଯାଇଛି । ତେବେ ମାଓବାଦୀ କରିଥିବା ଏହି ସ୍ପାଇକ ହୋଲ୍ ଦେଖି ଏବେ ସଭିଏଁ ତାଜୁବ୍ ହୋଇଯାଇଛନ୍ତି ।

ଏପଟେ ସୂଚନା ଥାଉକି ଗତ କିଛି ଦିନ ତଳେ ଗାଜାରେ ହମାସ ଆତଙ୍କୀଙ୍କ ସୁଡ଼ଙ୍ଗ ଭଳି ମାଟି ତଳେ ନକ୍ସଲ କରିଥିବା ସୁଡ଼ଙ୍ଗ ଓ ବଙ୍କର ଠାବ ହୋଇଥିଲା । ଏହି ବଙ୍କରକୁ ପୋଲିସ୍ ପ୍ରଥମ ଥର ପାଇଁ ଦେଖିବାକୁ ପାଇଥିଲା । ଯେଉଁ ବଙ୍କର ଦନ୍ତେୱାଡ଼ା–ବୀଜାପୁର ସୀମା ମଧ୍ୟରେ ତିଆରି କରାଯାଇଥିଲା ।

 

Leave A Reply

Your email address will not be published.