ସରିଲା ନିର୍ବାଚନ, ବଢ଼ିଲା ପରିବା ଦର : ସବୁ ୫୦ ଉପରେ

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ସରିଲା, ଏବେ ପରିବା ଦରରେ ଲାଗିଲା ନିଆଁ ।  ଲଗାତାର ଭାବେ ବଢିଚାଲିଛି ପରିବା ଦର ।  ବଜାରରୁ ଘର, ଘରଠୁ ହୋଟେଲ ସବୁଠି ପରିବା ଚର୍ଚ୍ଚା । ବର୍ଦ୍ଧିତ ଦରରେ କେବେ ଲାଗିବ ରୋକ୍ ସେନେଇ ଚିନ୍ତାରେ ଖାଉଟି । ଅଧିକାଂଶ କଞ୍ଚା ପରିବା କିଲୋପ୍ରତି ଦାମ ୫୦ ଟଙ୍କାରେ ପହଞ୍ଚିଛି ।  କଲରା କିଲୋ ପିଛା ୬୦ ଟଙ୍କା, ଭେଣ୍ଡି ୫୦ ଟଙ୍କା, ଟମାଟୋ ୪୦, ଜହ୍ନି ୬୦, ପୋଟଳ ୪୦, କଖାରୁ ୬୦ ଟଙ୍କାରେ ବିକ୍ରି ହେଉଛି ।  ସେହିଭଳି ଅଦା, ରସୁଣ, ପିଆଜ, ଦର ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।  ରସୁଣ ପ୍ରକାର ଅନୁସାରେ ୨୬୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ଦରରେ ବିକ୍ରି ହେଉଛି ।  ପରିବା ସହ ଖୁଚୁରା ବଜାରରେ ଉଷୁନା ଓ ଅରୁଆ ଚାଉଳର ମଧ୍ୟ ଦର ବଢିଛି । ହରଡ ଡାଲି, ସୋରିଷ ତେଲ, ଗହମ ମଧ୍ୟ ମହଙ୍ଗା ହୋଇଛି ।

୫୦ ତଳକୁ ବଜାରରେ ପରିବା ନାହିଁ । ଆଉ ଟଙ୍କା ହଜାରେ ନହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ ।  ହାଟକୁ ଆସୁଥିବା ଗ୍ରାହକ ଦର ଶୁଣିଦେଲେ କାନମୁଣ୍ଡା ଆଉଁସି ଘରକୁ ଫେରିବା ସାର । ପରିବା କିଣିବାକୁ ଇଛା ଥିଲେ ବି ଆବଶ୍ୟକତା ହିସାବରେ ନୁହେଁ ବରଂ ପକେଟକୁ ଦେଖି ଅଢ଼େଇ ଶହ ନହେଲେ ଅଧାକିଲୋ କିଣି ନେଉଛନ୍ତି ।  ଗତ କିଛି ଦିନ ହେବ ପରିବା ମାର୍କେଟର୍ ଦରବୃଦ୍ଧି ଗ୍ରାହକଙ୍କୁ ଅସ୍ତବ୍ୟସ୍ତ କରୁଛି । ଚଢା ଦରର ଏ ବଜାରକୁ ନେଇ ଅଧିକ ଚିନ୍ତାରେ ଗୃହିଣୀ ।  ପରିବା ଡାଲାରୁ ଗାଏବ ପରିବା । କାଁ ଭାଁ ଗୋଟେ ଯୋଡେ ପରିବା ଡାଲାରେ ପଡିଥିବା ବେଳେ ଆଉ ଆଣିବାକୁ ଇଛା ହେଉନଥିବା କହିଛନ୍ତି ଗୃହିଣୀ ।

 

Leave A Reply

Your email address will not be published.