ଭୁବନେଶ୍ୱର କ୍ଲବ୍‌ ନିର୍ବାଚନକୁ ନେଇ ଏତେ ଚର୍ଚ୍ଚା କାହିଁକି, କଣ କେବଳ ଆଇଏଏସ୍ ଟକ୍କର ପାଇଁ ?

କ୍ଲବ୍‌ ରାଜନୀତି, କ୍ଲବ୍‌ ନିର୍ବାଚନ । ଏ ଖବର ଏବେ ଗଣମାଧ୍ୟମର ଶିରୋନାମା ପାଲଟିଲାଣି । ଆଗରୁ କେବଳ କର୍ମକର୍ତ୍ତା ନିର୍ବାଚନ ପରେ କୌଣସି ଖବରକାଗଜର ଭିତର ପୃଷ୍ଠାରେ ଗୋଟିଏ କୋଣରେ ଏ ଖବର ଦେଖିବାକୁ ମିଳୁଥିଲା । ହେଲେ ଏବେ କ୍ଲବ୍‌ ରାଜନୀତି କଲେଜ ଇଲେକସନ୍‌ର ହୋହଲ୍ଲାକୁ ବି ବଳି ଗଲାଣି । ଏଇ ଦେଖୁ ନାହାନ୍ତି ରାଜ୍ୟର ସବୁଠାରୁ ହାଇପ୍ରୋଫାଇଲ କ୍ଲବ୍‌ ଭୁବନେଶ୍ୱର କ୍ଲବ୍‌ର କର୍ମକର୍ତ୍ତା ନିର୍ବାଚନକୁ ନେଇ ସାରା ରାଜଧାନୀ ଉଠୁଛି ପଡୁଛି । ପାଓ୍ଵାର କରିଡରରେ ଏହାକୁ ନେଇ ପ୍ରବଳ ଚର୍ଚ୍ଚା । ତେବେ ଆଶ୍ଚର୍ଯ୍ୟ ଲାଗୁଛି କି ଏମିତି ଆଗରୁ ତ କେବେବି ଘଟି ନଥିଲା ? ଏଥର ଏମିତି କଣ ହେଲା ଯେ ଗଣମାଧ୍ୟମ ବି ଏହି ନିର୍ବାଚନକୁ ନେଇ ଖବର ପ୍ରସାରଣ କରୁଛି ?
ଜଣାଇ ଦେବାକୁ ଚାହୁଁଛୁ କି ଏଥର ଭୁବନେଶ୍ୱର କ୍ଲବ୍‌ ମୁଖ୍ୟ ପଦବି ପାଇଁ ଲଢ଼େଇ କରିଛନ୍ତି ଦୁଇଜଣ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ବିଜୟ ପଟ୍ଟନାୟକ । ଦୁହେଁ ସରକାରରେ ପ୍ରମୁଖ ଦାୟିତ୍ୱ ତୁଲାଇବା ସହ ବେଶ୍‌ ପ୍ରଭାବଶାଳୀ ମଧ୍ୟ ଥିଲେ । ଆଉ ଅସିତ ତ୍ରିପାଠୀ ଏବେବି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ରହିବା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।

ଅନେକ ବର୍ଷ ତଳେ ଯେତେବେଳେ ଆଇଏଏସ୍‌ ପ୍ରିୟବ୍ରତ ପଟ୍ଟନାୟକ ଏହି କ୍ଲବ୍‌ର ମୁଖ୍ୟ ଥିଲେ ସେତେବେଳେ ଏକ ବିବାଦକୁ ନେଇ ନିଜେ ପ୍ରିୟବ୍ରତ ଏବଂ ଭୁବନେଶ୍ୱର କ୍ଲବ୍‌ ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ତେବେ ଏହି କ୍ଲବ୍‌ କେବଳ ହାଇପ୍ରୋଫାଇଲ୍‌ ଲୋକଙ୍କ ପାଇଁ ବୋଲି ସମସ୍ତେ ଜାଣନ୍ତି । ଏମିତିକି ସାଧାରଣ ଲୋକଟିଏ ତା ଭିତରକୁ ପ୍ରବେଶ ବି କରିବା ସହଜ ନୁହେଁ । ଏଠି ରାଜ୍ୟକୁ ଚଳାଉଥିବା ନାମୀଦାମୀ ପ୍ରଶାସକ, ବରିଷ୍ଠ ସାମ୍ବାଦିକ ଏବଂ କର୍ପୋରେଟ୍‌ ହାଉସ୍‌ ମୁଖିଆମାନେ ହିଁ ମେମ୍ବର ଅଛନ୍ତି । ସଦସ୍ୟତା ପାଇବା ସହଜ ନୁହେଁ ଏବଂ ଏବାବଦରେ ମୋଟା ଅଙ୍କର ଅର୍ଥ ମଧ୍ୟ ପଇଠ କରିବାକୁ ପଡ଼େ ।

ଏହି କ୍ଲବ୍‌ରେ ଆଗରୁ ବି ଅନେକଥର ନିର୍ବାଚନ ହୋଇଛି । ହେଲେ ଏଥର ନିର୍ବାଚନ ପାଓ୍ଵାର କରିଡରକୁ ଅଧିକ ସରଗରମ କରିଛି । କାରଣ ଦୁଇ ଜଣ ପୂର୍ବତନ ମୁଖ୍ୟ ଶାସନ ସଚିବ ମୁଖିଆ ପଦବି ପାଇଁ ମୁହାଁମୁହିଁ ହୋଇଥିଲେ । ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ଗହ୍ମା ପୁନେଇରେ ମାଇଁ…. ଭଳି ନିଜେ ଗାଡ଼ି କରି ଭୋଟରଙ୍କୁ ବୁଥ୍‌କୁ ଆଣିବାର ଆମେ ସମସ୍ତେ ଦେଖିଛନ୍ତି ଓ ଜାଣିଛନ୍ତି । ହେଲେ ଏଠି କୁଆଡ଼େ ଫ୍ଲାଇଟ୍‌ ଟିକେଟ୍‌ କରି ସଦସ୍ୟମାନଙ୍କୁ ଭୋଟ୍‌ ଦେବା ପାଇଁ ଅଣାଯାଇଥିଲା ବୋଲି ଚର୍ଚ୍ଚା ହେଉଛି। ଏଥିରୁ ବୁଝି ହେଉଥିବା କେତେ ଗୁରୁତ୍ୱପୂର୍ଣ୍ଣ ଭୁବନେଶ୍ୱର କ୍ଲବ୍‌ ଓ ଏହାର ମୁଖ୍ୟ ପଦବି । ସେହିଭଳି ରାଜ୍ୟ ଅର୍ଥ ସଚିବ ତଥା ଆଉ ଜଣେ ଆଇଏଏସ୍‌ ବିଶାଲ ଦେବ ମଧ୍ୟ ସମ୍ପାଦକ ପଦବି ପାଇଁ ପ୍ରାର୍ଥୀ ହୋଇଛନ୍ତି ।

ଯାହା ସୂଚନା ମିଳିଛି ଭୁବନେଶ୍ୱର କ୍ଲବ୍‌ର ମୋଟ୍‌ ସଦସ୍ୟ ସଂଖ୍ୟା ହେଉଛି ୧୮୫୪ । ସେଥିମଧ୍ୟରୁ ୧୨୬୭ ଜଣ ଭୋଟ୍‌ ଦେଇଥିଲେ । ପୂର୍ବରୁ ୨୦୧୩ରେ ଶେଷଥର ପାଇଁ ନିର୍ବାଚନ ହୋଇଥିଲା । ଏହାପରେ କେବଳ ମନୋନୟନ ଜରିଆରେ କର୍ମକର୍ତ୍ତା ବଛା ଯାଉଥିଲେ । ପ୍ରାୟ ୮ ବର୍ଷ ବ୍ୟବଧାନରେ ନୂଆ କର୍ମକର୍ତ୍ତା ବାଛିବା ପାଇଁ ନିର୍ବାଚନ ହେଉଛି । ଏଥରର ନିର୍ବାଚନ କିନ୍ତୁ ସବୁ ନିର୍ବାଚନକୁ ବଳି ଯାଇଛି । ତେଣୁ ଏହାକୁ ନେଇ ଜନସାଧାରଣରେ ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା । ହେଲେ ଏଇ ଉତ୍କଣ୍ଠା ଭିତରେ ବେଶ୍‌ କିଛି ପ୍ରଶ୍ନ ମଧ୍ୟ ସେମାନଙ୍କ ମନରେ । ଏହି କ୍ଲବ୍‌ରେ ଏମିତି କଣ ହେଉଛି ଯେ ଦୁଇ ଦୁଇ ଜଣ ବରିଷ୍ଠ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ? ଏମାନଙ୍କ ଭିତରୁ କିଏ ଜିତିଲେ ରାଜ୍ୟର କିଛି ଲାଭ ହେବ କି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.